ସତ୍ୟାର୍ଥ ପ୍ରକାଶ (ଓଡ଼ିଆ)

ସତ୍ୟାର୍ଥ ପ୍ରକାଶ (ଓଡ଼ିଆ)

ଅନୁବାଦ - ସ୍ୱାମୀ ସୁଧାନନ୍ଦ ସରସ୍ବତୀ

ଓ୩ମ୍ ସଚ୍ଚିଦାନନ୍ଦାୟେଶ୍ୱରାୟ ନମୋ ନମଃ 
 

ଭୂମିକା

 
‘ସତ୍ୟାର୍ଥପ୍ରକାଶ’କୁ ଦ୍ୱିତୀୟ ଥର ଶୁଦ୍ଧ ରୂପେ ପ୍ରକାଶନ କରାଯାଇଛି । କାରଣ ଯେଉଁ ସମୟରେ ମୁଁ ଏହି ଗ୍ରନ୍ଥ ରଚନା କରିଥିଲି, ସେହି ସମୟରେ ଏବଂ ତା’ ପୂର୍ବରୁ ସଂସ୍କୃତରେ ଭାଷଣାଦି କରିବା, ପଠନ-ପାଠନରେ ସଂସ୍କୃତ ହିଁ କହିବାର  ଅଭ୍ୟାସ ଥିବା ତଥା ମାତୃଭାଷା ‘ଗୁଜରାତୀ’ ହୋଇଥିବା - ଇତ୍ୟାଦି କାରଣରୁ ଏହି (ହିନ୍ଦୀ) ଭାଷା ବିଷୟରେ ମୋର ବିଶେଷ ଜ୍ଞାନ ନଥିଲା । ବର୍ତ୍ତମାନ ଏହି ଭାଷାକୁ ବ୍ୟାକରଣ ଅନୁସାରେ ଉତ୍ତମ ରୂପେ ଜାଣି ଅଭ୍ୟାସ ବି କରିନେଇଛି । ତେଣୁ ଏହି ସଂଶୋଧିତ ସଂସ୍କରଣର ଭାଷା ପୂର୍ବାପେକ୍ଷା ଉତ୍ତମ ହୋଇଛି । କେଉଁଠି-କେଉଁଠି ଶବ୍ଦ, ବାକ୍ୟରଚନା ପୂର୍ବଠାରୁ ଅଲଗା ହୋଇଛି । କାରଣ ସେପରି କରିବା ଆବଶ୍ୟକ ଥିଲା, ସେଇ ପରିବର୍ତ୍ତନ ନ କଲେ ଭାଷାର ପରିପାଟୀ ସୁଧାରିବା କଠିନ ଥିଲା । ଭାଷାର ପରିପାଟୀ ଦୃଷ୍ଟିରୁ ବାକ୍ୟରଚନାରେ ପାର୍ଥକ୍ୟ ହୋଇଥିଲେ ହେଁ ଅର୍ଥରେ ଭେଦ କରାଯାଇନାହିଁ । ଅଧିକନ୍ତୁ କିଛି ବିଶେଷ ବି ଲେଖାଯାଇଛି । ପ୍ରଥମ ସଂସ୍କରଣରେ ଯେଉଁ-ଯେଉଁ ଭୁଲ୍ ରହିଯାଇଥିଲା, ସେ ସବୁକୁ ସଂଶୋଧନ କରି ଠିକ୍ କରି ଦିଆଯାଇଛି ।
ଏହି ଗ୍ରନ୍ଥ ଚଉଦ(୧୪)ଟି ସମୁଲ୍ଲାସରେ ଅର୍ଥାତ୍ ଚଉଦଟି ଅଧ୍ୟାୟରେ ବିଭକ୍ତ ହୋଇଛି । ତନ୍ମଧ୍ୟରୁ ପ୍ରଥମ ଦଶ (୧୦)ଟି ସମୁଲ୍ଲାସକୁ ନେଇ ‘ପୂର୍ବାର୍ଦ୍ଧ’ ଏବଂ ବଳକା ୪ଟି  ସମୁଲ୍ଲାସକୁ ନେଇ ‘ଉତ୍ତରାର୍ଦ୍ଧ’ ନିର୍ମିତ । ଶେଷ ଦୁଇଟି ସମୁଲ୍ଲାସ (୧୩ ଓ ୧୪) ଓ ତା’ ପରେ ଥିବା ‘ସ୍ୱମନ୍ତବ୍ୟାମନ୍ତବ୍ୟପ୍ରକାଶ’ କୌଣସି କାରଣବଶତଃ ପ୍ରଥମ ସଂସ୍କରଣରେ ଛପା ହୋଇପାରିନଥିଲା । ବର୍ତ୍ତମାନ ତାହାକୁ ମଧ୍ୟ ଛପାଇ ଦିଆଯାଇଛି ।
୧. ପ୍ରଥମ ସମୁଲ୍ଲାସରେ ଈଶ୍ୱରଙ୍କ ‘ଓଙ୍କାର’- ଆଦି ନାମର ବ୍ୟାଖ୍ୟା ।
୨. ଦ୍ୱିତୀୟ ସମୁଲ୍ଲାସରେ ସନ୍ତାନମାନଙ୍କ ଶିକ୍ଷା ।
୩. ତୃତୀୟ ସମୁଲ୍ଲାସରେ ବ୍ରହ୍ମଚର୍ଯ୍ୟ, ପଠନ-ପାଠନ ବ୍ୟବସ୍ଥା, ସତ୍ୟାସତ୍ୟ ଗ୍ରନ୍ଥଗୁଡ଼ିକର ନାମ ଓ ପଠନ-ପାଠନ ରୀତି ।
୪. ଚତୁର୍ଥ ସମୁଲ୍ଲାସରେ ସମାବର୍ତ୍ତନ, ବିବାହ ଓ ଗୃହସ୍ଥାଶ୍ରମ ବିଧି ।
୫. ପଞ୍ଚମ ସମୁଲ୍ଲାସରେ ବାନପ୍ରସ୍ଥ ଓ ସନ୍ନ୍ୟାସାଶ୍ରମ ବିଧି ।
୬. ଷଷ୍ଠ ସମୁଲ୍ଲାସରେ ରାଜଧର୍ମ ।
୭. ସପ୍ତମ ସମୁଲ୍ଲାସରେ ବେଦ ଓ ଈଶ୍ୱର ବିଷୟ ।
୮. ଅଷ୍ଟମ ସମୁଲ୍ଲାସରେ ଜଗତର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ।
୯. ନବମ ସମୁଲ୍ଲାସରେ ବିଦ୍ୟା-ଅବିଦ୍ୟା, ବନ୍ଧ ଓ ମୋକ୍ଷର ବ୍ୟାଖ୍ୟା ।
୧୦. ଦଶମ ସମୁଲ୍ଲାସରେ ଆଚାର-ଅନାଚାର, ଭକ୍ଷ୍ୟ-ଅଭକ୍ଷ୍ୟ ବିଷୟ ।
୧୧. ଏକାଦଶ ସମୁଲ୍ଲାସରେ ଆର୍ଯ୍ୟାବର୍ତ୍ତୀୟ ମତ-ମତାନ୍ତରର ଖଣ୍ଡନ-ମଣ୍ଡନ ବିଷୟ ।
୧୨. ଦ୍ୱାଦଶ  ସମୁଲ୍ଲାସରେ  ଚାର୍ବାକ୍, ବୌଦ୍ଧ ଓ ଜୈନ ମତ ବିଷୟ ।
୧୩. ତ୍ରୟୋଦଶ ସମୁଲ୍ଲାସରେ ଖ୍ରୀଷ୍ଟମତ ବିଷୟ ।
୧୪. ଚତୁର୍ଦ୍ଦଶ ସମୁଲ୍ଲାସରେ ଇସ୍ଲାମ୍ ମତ ବିଷୟ ।
ଏବଂ ଚତୁର୍ଦ୍ଦଶ ସମୁଲ୍ଲାସର ଶେଷରେ ଆର୍ଯ୍ୟମାନଙ୍କ ସନାତନ ବେଦବିହିତ-ମତର ବିଶେଷ କଥନ ‘ସ୍ୱମନ୍ତବ୍ୟାମନ୍ତବ୍ୟ’ରେ ଲେଖାଯାଇଛି, ଯାହାକୁ ମୁଁ ମଧ୍ୟ ଯଥାବତ୍ ସ୍ୱୀକାର କରେ ।
ଏହି ଗ୍ରନ୍ଥ ରଚନା କରିବାର ମୋର ମୁଖ୍ୟ ଉଦ୍ଦେଶ୍ୟ ହେଲା ସତ୍ୟ-ଅର୍ଥର ପ୍ରକାଶ କରିବା । ଅର୍ଥାତ୍ ଯାହା ସତ୍ୟ ତାକୁ ସତ୍ୟ ରୂପେ ଓ ଯାହା ମିଥ୍ୟା ତାକୁ ମିଥ୍ୟା ଭାବେ ହିଁ ପ୍ରତିପାଦନ କରିବା ‘ସତ୍ୟ ଅର୍ଥର ପ୍ରକାଶ’ ବୋଲି ମୁଁ ବୁଝିଛି । ସତ୍ୟ ସ୍ଥାନରେ ଅସତ୍ୟ ଏବଂ ଅସତ୍ୟକୁ ସତ୍ୟ ରୂପେ ପ୍ରକାଶ କରିବାକୁ ସତ୍ୟ ବୋଲି କୁହାଯାଏ ନାହିଁ । ବରଞ୍ଚ ଯେଉଁ ପଦାର୍ଥ ଯେପରି ତାହାକୁ ସେହି ରୂପରେ ହିଁ କହିବା, ଲେଖିବା ଓ ମାନିବାକୁ ସତ୍ୟ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ପକ୍ଷପାତୀ, ସେ ନିଜର ଅସତ୍ୟକୁ ମଧ୍ୟ ସତ୍ୟ ଏବଂ ନିଜ ବିରୋଧୀ ମତବାଦୀର ସତ୍ୟକୁ ବି ଅସତ୍ୟ ସିଦ୍ଧ କରିବାରେ ପ୍ରବୃତ୍ତ ହୋଇଥାଏ । ଏଣୁ ସେ ସତ୍ୟ ସିଦ୍ଧାନ୍ତକୁ ପ୍ରାପ୍ତ କରିପାରେ ନାହିଁ । ଅତଃ ବିଦ୍ୱାନ୍ ଓ ଆପ୍ତପୁରଷଙ୍କ  ପ୍ରମୁଖ କାର୍ଯ୍ୟ ହେଲା ସ୍ୱ ଉପଦେଶ ଓ ଲେଖା ମାଧ୍ୟମରେ ସମଗ୍ର ମନୁଷ୍ୟ ସମାଜ ସମ୍ମୁଖରେ ସତ୍ୟାସତ୍ୟର ସ୍ୱରୂପ ଉପସ୍ଥାପନ କରିବା । ତଦନନ୍ତର ପ୍ରତ୍ୟେକ ବ୍ୟକ୍ତି ସ୍ୱୟଂ ସ୍ୱ ହିତାହିତ ବିବେଚନା କରି  ସତ୍ୟାର୍ଥ ଗ୍ରହଣ ଓ ମିଥ୍ୟାର୍ଥ ପରିତ୍ୟାଗ କରି ସଦା ଆନନ୍ଦରେ ରହିବା ଉଚିତ ।
ଯଦ୍ୟପି ମନୁଷ୍ୟର ଆତ୍ମା ସତ୍ୟ-ଅସତ୍ୟକୁ ଜାଣିପାରେ, ତଥାପି ସ୍ୱ ପ୍ରୟୋଜନ ସିଦ୍ଧି, ହଠ, ଦୁରାଗ୍ରହ ଓ ଅବିଦ୍ୟାଦି ଦୋଷ କାରଣରୁ ସତ୍ୟକୁ ତ୍ୟାଗ କରି, ଅସତ୍ୟ ଆଡ଼କୁ ଢଳି ପଡ଼ିଥାଏ । କିନ୍ତୁ ଏହି ଗ୍ରନ୍ଥରେ ଏଭଳି କାର୍ଯ୍ୟ କରାଯାଇନାହିଁ କି କାହା ମନରେ ଦୁଃଖ ଦେବା ବା କାହାରି ହାନି କରିବା ଏ ଗ୍ରନ୍ଥ ରଚନାର ଉଦ୍ଦେଶ୍ୟ ନୁହେଁ ।  ବରଂ ମନୁଷ୍ୟମାନେ ସତ୍ୟାସତ୍ୟକୁ ଜାଣି ସତ୍ୟର ଗ୍ରହଣ ଓ ଅସତ୍ୟର ପରିତ୍ୟାଗ କରନ୍ତୁ, ଯଦ୍ଦ୍ୱାରା କି ସମଗ୍ର ମାନବଜାତିର ଉନ୍ନତି ଓ ଉପକାର ସାଧିତ ହେବ, ଏହା ହିଁ ମୋର ଉଦ୍ଦେଶ୍ୟ । କାରଣ ସତ୍ୟୋପଦେଶ ବ୍ୟତୀତ ମାନବଜାତିର ଉନ୍ନତିର ଅନ୍ୟ କୌଣସି ଉପାୟ ନାହିଁ ।
ଏହି  ଗ୍ରନ୍ଥରେ ଯଦି କେଉଁଠି ଭୁଲ୍ବଶତଃ କୌଣସି ତ୍ରୁଟି କିମ୍ବା ଶୋଧନ ଓ ମୁଦ୍ରଣ ଜନିତ ଦୋଷ-ତ୍ରୁଟି ରହିଯାଇଥାଏ, ତେବେ ତାହା ବିଷୟରେ ସୂଚନା ମିଳିଲେ, ଯାହା ସତ୍ୟ ବିବେଚିତ ହେବ ତଦନୁସାରେ ସଂଶୋଧନ କରି ଦିଆଯିବ । କିନ୍ତୁ ଯଦି କେହି ପକ୍ଷପାତର ବଶବର୍ତ୍ତୀ ହୋଇ ଅନ୍ୟଥା ଶଙ୍କା ବା ଖଣ୍ଡନ-ମଣ୍ଡନ କରନ୍ତି, ସେଥିପ୍ରତି ଧ୍ୟାନ ଦିଆଯିବ ନାହିଁ । ହଁ, ମନୁଷ୍ୟମାତ୍ରଙ୍କ ହିତୈଷୀ ହୋଇ ଯଦି କେହି କିଛି ଅବଗତ କରାନ୍ତି, ତାହା ସତ୍ୟ ବୋଲି ହୃଦୟଙ୍ଗମ ହେଲେ, ତାଙ୍କ ମତ ଅବଶ୍ୟ ସ୍ୱୀକାର କରାଯିବ ।
ଯଦିଓ ବର୍ତ୍ତମାନ ସମୟରେ ପ୍ରତ୍ୟେକ ମତରେ ବହୁ  ବିଦ୍ୱାନ୍ ଅଛନ୍ତି; କିନ୍ତୁ ସେମାନେ ଯଦି ପକ୍ଷପାତରହିତ ହୋଇ ସର୍ବତନ୍ତ୍ର-ସିଦ୍ଧାନ୍ତ ଅର୍ଥାତ୍ ଯେଉଁ-ଯେଉଁ ବିଷୟ ସମସ୍ତଙ୍କ ଅନୁକୂଳ, ସବୁ ମତରେ ସତ୍ୟ ରୂପେ ବିଦ୍ୟମାନ, ସେସବୁକୁ ଗ୍ରହଣ ଏବଂ ଯାହା ପରସ୍ପର ମତର ବିରୁଦ୍ଧ କଥା ସେସବୁକୁ ପରିତ୍ୟାଗ କରି ପରସ୍ପର ପ୍ରୀତିପୂର୍ବକ ବ୍ୟବହାର କରନ୍ତେ ଓ କରାନ୍ତେ, ତେବେ ଜଗତର ପୂର୍ଣ୍ଣ ହିତ ସାଧିତ ହୋଇପାରନ୍ତା । କାରଣ ବିଦ୍ୱାନ୍ମାନଙ୍କ ମଧ୍ୟରେ ପାରସ୍ପରିକ ବିରୋଧ ଯୋଗୁଁ ଅବିଦ୍ୱାନ୍ମାନଙ୍କ ମଧ୍ୟରେ ବିରୋଧ ବୃଦ୍ଧି ପାଇ ସଂସାରରେ ଅନେକ ପ୍ରକାର ଦୁଃଖର ବୃଦ୍ଧି ଓ ସୁଖର ହ୍ରାସ ହୋଇଥାଏ । ସ୍ୱାର୍ଥୀ  ମନୁଷ୍ୟଙ୍କର ପ୍ରିୟ ଏହି ହାନିକାରକ କର୍ମ ସମଗ୍ର ମନୁଷ୍ୟ ସମାଜକୁ ଦୁଃଖ-ଦରିଆରେ ବୁଡ଼ାଇ ଦେଇଛି । ଏଭଳି ସ୍ଥିତିରେ ଯଦି କେହି ସାର୍ବଜନିକ ହିତକୁ ଲକ୍ଷ୍ୟରେ ରଖି କାର୍ଯ୍ୟରେ ପ୍ରବୃତ୍ତ ହୁଏ, ତେବେ ସ୍ୱାର୍ଥୀ ଲୋକମାନେ ତାଙ୍କୁ ବିରୋଧ କରିବାକୁ ଅଣ୍ଟାଭିଡ଼ି ବାହାରିଯାନ୍ତି ଓ ତାଙ୍କ କାର୍ଯ୍ୟରେ ଅନେକ ପ୍ରକାର ବାଧା-ବିଘ୍ନ ସୃଷ୍ଟି କରନ୍ତି । ପରନ୍ତୁ —
ସତ୍ୟମେବ ଜୟତେ ନାନୃତଂ ସତ୍ୟେନ ପନ୍ଥା ବିତତୋ ଦେବୟାନଃ ।   (ମୁଣ୍ଡକ. ୩:୧:୬)
ସର୍ବଦା ସତ୍ୟର ଜୟ ଓ ଅସତ୍ୟର ପରାଜୟ ହୁଏ ଏବଂ ସତ୍ୟଦ୍ୱାରା ହିଁ ବିଦ୍ୱାନଙ୍କ ମାର୍ଗ ବିସ୍ତୃତ ହୁଏ । ଏହି ଦୃଢ଼ନିଶ୍ଚୟ ଆଧାରରେ ଆପ୍ତଜନ ପରୋପକାର କର୍ମରୁ କେବେ ଉଦାସୀନ ହୋଇ ସତ୍ୟାର୍ଥ-ପ୍ରକାଶ କରିବାରୁ ବିରତ ହୁଅନ୍ତି ନାହିଁ । ଏକଥା ଦୃଢ଼ନିଶ୍ଚିତ ଯେ —
ୟତ୍ତଦଗ୍ରେ  ବିଷମିବ  ପରିଣାମେଽମୃତୋପମମ୍ ।   (ଗୀତା. ୧୮:୩୭)
ବିଦ୍ୟା ଓ ଧର୍ମପ୍ରାପ୍ତି ସମ୍ବନ୍ଧୀୟ ଯାହା-ଯାହା କର୍ମ ଅଛି, ସେସବୁ କରିବାକୁ ପ୍ରଥମେ ବିଷ ଭଳି ଲାଗୁଥିଲେ ମଧ୍ୟ ପରିଣାମରେ ଅମୃତତୁଲ୍ୟ ହୋଇଥାଏ- ଏହି କଥାକୁ ହୃଦୟରେ ଧାରଣ କରି ମୁଁ ଏହି ଗ୍ରନ୍ଥ ରଚନା କରିଛି । ପାଠକଗଣ ବି ପ୍ରଥମେ ଶ୍ରଦ୍ଧା, ସହୃଦୟତା ପୂର୍ବକ ଏହାକୁ ଅଧ୍ୟୟନ କରି, ଏହି ଗ୍ରନ୍ଥର ସତ୍ୟ-ସତ୍ୟ ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରି ଯେପରି ଉଚିତ ମନେକରିବେ ତାହା କରିବେ ।
ଏହି ଗ୍ରନ୍ଥରେ ଏ ଅଭିପ୍ରାୟ ରଖାଯାଇଛି ଯେ ସବୁ ମତରେ ଯାହା-ଯାହା ସତ୍ୟ କଥା ରହିଛି, ସେସବୁ ସମସ୍ତ ମତରେ ଅବିରୁଦ୍ଧ ହୋଇଥିବା ହେତୁ ସେସବୁକୁ ସ୍ୱୀକାର କରି, ସମସ୍ତ ମତମତାନ୍ତରରେ ଯାହା-ଯାହା ମିଥ୍ୟା କଥା ଅଛି ସେସବୁକୁ ଖଣ୍ଡନ କରିବା । ଏଥିରେ ଏ ଉଦ୍ଦେଶ୍ୟ ମଧ୍ୟ ରଖାଯାଇଛି ଯେ ପ୍ରତ୍ୟେକ ମତମତାନ୍ତରର ଗୁପ୍ତ ବା ପ୍ରକଟ ଅନୁଚିତ କଥାକୁ ପ୍ରକାଶ କରି ବିଦ୍ୱାନ୍-ଅବିଦ୍ୱାନ୍ ନିର୍ବିଶେଷରେ ସର୍ବସାଧାରଣଙ୍କ ସମ୍ମୁଖରେ ରଖିବା, ଯଦ୍ଦ୍ୱାରା ସମସ୍ତେ ସମସ୍ତଙ୍କର କଥା ନିରପେକ୍ଷ ରୂପେ ବିଚାର କରି ପରସ୍ପର ପ୍ରେମୀ ହୋଇ ଏକ ସତ୍ୟ ମତର ପଥିକ ହେବେ ।
ଯଦିଓ ମୁଁ ଆର୍ଯ୍ୟାବର୍ତ୍ତ ଦେଶରେ ଜନ୍ମଗ୍ରହଣ କରିଛି ଓ ନିବାସ କରୁଛି; ତଥାପି ଏହି ଦେଶର ମତମତାନ୍ତରର ମିଥ୍ୟା କଥାଗୁଡ଼ିକୁ ନିଷ୍ପକ୍ଷପାତରେ ଯେପରି ଯଥାତଥ୍ୟତଃ ପ୍ରକାଶ କରୁଛି, ଅନ୍ୟ ଦେଶର ମତ-ମତାନ୍ତରର ମିଥ୍ୟା ମାନ୍ୟତା ପ୍ରତି ମଧ୍ୟ ସେହିପରି ବ୍ୟବହାର କରୁଛି । ମାନବ-ସମାଜର ଉନ୍ନତି ବିଷୟରେ ସ୍ୱ ଦେଶବାସୀଙ୍କ ସହ ଯେପରି ବ୍ୟବହାର କରୁଛି, ବିଦେଶୀମାନଙ୍କ ସହ ମଧ୍ୟ ସେପରି ଆଚରଣ କରୁଛି; ତଥା ଏପରି କରିବା ସମସ୍ତ ସଜ୍ଜନଙ୍କ କର୍ତ୍ତବ୍ୟ ବୋଲି ମୋର ଅଭିମତ । ଆଜିକାଲି ଯେପରି ବହୁ ମତାବଲମ୍ବୀଗଣ ସ୍ୱ-ମତର ସ୍ତୁତି, ମଣ୍ଡନ ଓ ପ୍ରଚାର କରନ୍ତି ଏବଂ ଅନ୍ୟ ମତର  ନିନ୍ଦା, ହାନି ଓ ଲୋପ କରିବା ପାଇଁ ତତ୍ପର ରହିଥାନ୍ତି, ମୁଁ ଯଦି କୌଣସି ଏକମତର ପକ୍ଷପାତୀ ହୋଇଥାନ୍ତି, ତେବେ ମୁଁ ମଧ୍ୟ ଏପରି କରିବାରେ ତତ୍ପର ରହିଥାନ୍ତି । କିନ୍ତୁ ଏପରି କାର୍ଯ୍ୟ ମନୁଷ୍ୟସ୍ୱଭାବର ବହିର୍ଭୂତ । କାରଣ ପଶୁ ଜଗତରେ ଯେପରି ବଳବାନ୍ ଦୁର୍ବଳକୁ ଦୁଃଖ ଦେଇଥାନ୍ତି ଓ ମାରି ବି ଦେଇଥାନ୍ତି, ମନୁଷ୍ୟ-ଶରୀର ପ୍ରାପ୍ତ କରି ମଧ୍ୟ ଯେଉଁମାନେ ସେହିପରି କର୍ମ କରନ୍ତି, ସେମାନେ ମନୁଷ୍ୟ-ସ୍ୱଭାବଧାରୀ ନୁହନ୍ତି, ବରଂ ପଶୁତୁଲ୍ୟ ଅଟନ୍ତି । ଆଉ ଯିଏ ବଳବାନ୍ ହୋଇ ସୁଦ୍ଧା ନିର୍ବଳକୁ ରକ୍ଷା କରେ, ସେ ହିଁ ବାସ୍ତବରେ ‘ମନୁଷ୍ୟ’ ପଦବାଚ୍ୟ । ଯିଏ ସ୍ୱାର୍ଥର ବଶବର୍ତ୍ତୀ ହୋଇ କେବଳ ପରର ହାନି କରିବାରେ ଲାଗିରହେ, ସେ ‘ପଶୁର ବଡ଼ ଭାଇ’ ବୋଲି ଜାଣିବା ଉଚିତ ।
ଆର୍ଯ୍ୟାବର୍ତ୍ତୀୟ ମତ-ମତାନ୍ତର ବିଷୟରେ ବିଶେଷତଃ ଏକାଦଶ ସମୁଲ୍ଲାସ ପର୍ଯ୍ୟନ୍ତ ଲେଖାଯାଇଛି । ଏସବୁ ସମୁଲ୍ଲାସରେ ଯାହା ସତ୍ୟମତ ପ୍ରକାଶିତ କରାଯାଇଛି, ସେସବୁ ବେଦୋକ୍ତ ହୋଇଥିବାରୁ ମୋର ସର୍ବଥା ମନ୍ତବ୍ୟ, ଏବଂ ଯେଉଁ ନବୀନ ପୁରାଣ, ତନ୍ତ୍ରାଦି ଗ୍ରନ୍ଥୋକ୍ତ କଥା ଖଣ୍ଡନ କରାଯାଇଛି, ସେସବୁ ତ୍ୟକ୍ତବ୍ୟ ।
ଦ୍ୱାଦଶ ସମୁଲ୍ଲାସରେ ଯେଉଁ ଚାର୍ବାକ୍ ମତ ବିଷୟରେ ଲେଖାଯାଇଛି ତାହା  ବର୍ତ୍ତମାନ କ୍ଷୀଣପ୍ରାୟ । ଏହି ଚାର୍ବାକ୍ ମତର ବୌଦ୍ଧ-ଜୈନ ମତ ସହ ‘ନିରୀଶ୍ୱରବାଦ’- ଆଦି ବିଷୟରେ ବହୁତ ସାମଞ୍ଜସ୍ୟ ଅଛି । ଏହି ଚାର୍ବାକ୍ ସବୁଠୁ ବଡ଼ ନାସ୍ତିକ ଶିରୋମଣି । ଏହାର ଅପଚେଷ୍ଟାକୁ ରୋକିବା ଆବଶ୍ୟକ । କାରଣ ଯଦି ମିଥ୍ୟାବାଦର ପ୍ରଚାରକୁ ନ ରୋକାଯାଏ, ତେବେ ସଂସାରରେ ବହୁ ଅନର୍ଥ ସୃଷ୍ଟି ହୁଏ ।
ଚାର୍ବାକଙ୍କର ମତ ଯାହା, ବୌଦ୍ଧ ଓ ଜୈନଙ୍କ ମତ ମଧ୍ୟ ପ୍ରାୟ ସେଇଆ, ସେକଥା ମଧ୍ୟ ଦ୍ୱାଦଶ ସମୁଲ୍ଲାସରେ ସଂକ୍ଷେପରେ ଲେଖାଯାଇଛି । ପୁଣି ବୌଦ୍ଧଙ୍କ ମତର ମଧ୍ୟ ଜୈନ ଓ ଚାର୍ବାକଙ୍କ ମତ ସହ ସାମଞ୍ଜସ୍ୟ ରହିଛି, ଅଳ୍ପ କିଛି ବିରୋଧ ବି ଅଛି । ସେହିଭଳି ଜୈନମତ ମଧ୍ୟ ବହୁଳାଂଶରେ ଚାର୍ବାକ୍ ଓ ବୌଦ୍ଧମତ ସହ ସାଦୃଶ୍ୟ ରଖେ, ଅଳ୍ପ କେତେକ କଥାରେ ଫରକ ବି ଅଛି । ଏଣୁ ଜୈନଙ୍କର ଭିନ୍ନ-ଭିନ୍ନ ଶାଖା ପରିଗଣନ କରାଯାଏ । ଏହି ପ୍ରଭେଦ ୧୨ଶ ସମୁଲ୍ଲାସରେ ଲେଖିଦିଆଯାଇଛି । ଯଥାଯୋଗ୍ୟ ସେଇଠି ବୁଝିନେବେ । ଏମାନଙ୍କ ମଧ୍ୟରେ ଯେଉଁ ଭିନ୍ନତା ଅଛି, ତାହା ମଧ୍ୟ  ୧୨ଶ ସମୁଲ୍ଲାସରେ ଦର୍ଶାଇ ଦିଆଯାଇଛି । ବୌଦ୍ଧମତ ଓ ଜୈନମତ ବିଷୟରେ ବି ଲେଖାଯାଇଛି । 
ବୌଦ୍ଧଙ୍କ ‘ଦୀପବଂଶ’ ଆଦି ପ୍ରାଚୀନ ଗ୍ରନ୍ଥରୁ ବୌଦ୍ଧମତର ସଂଗ୍ରହ ‘ସର୍ବଦର୍ଶନସଂଗ୍ରହ’ ପୁସ୍ତକରେ ପ୍ରଦତ୍ତ ହୋଇଛି । ସେହି ‘ସର୍ବଦର୍ଶନସଂଗ୍ରହ’ ଗ୍ରନ୍ଥରୁ ଏହି ପୁସ୍ତକରେ ଆଲୋଚନା କରାଯାଇଛି । ଜୈନମାନଙ୍କ ସିଦ୍ଧାନ୍ତ ନିମ୍ନଲିଖିତ ଗ୍ରନ୍ଥମାନଙ୍କରେ ଅଛି —
୪(ଚାରି) ମୂଳସୂତ୍ର — ୧. ଆବଶ୍ୟକ ସୂତ୍ର, ୨. ବିଶେଷ ଆବଶ୍ୟକ ସୂତ୍ର, ୩. ଦଶବୈକାଳିକ ସୂତ୍ର ଓ ୪. ପାକ୍ଷିକ ସୂତ୍ର ।
୧୧(ଏଗାର) ଅଙ୍ଗ — ୧. ଆଚାରାଂଗ ସୂତ୍ର, ୨. ସୁଗଡାଂଗ ସୂତ୍ର, ୩. ଥାଣାଂଗ ସୂତ୍ର, ୪. ସମବାୟାଂଗ ସୂତ୍ର, ୫. ଭଗବତୀ ସୂତ୍ର, ୬. ଜ୍ଞାତାଧର୍ମକଥା ସୂତ୍ର, ୭. ଉପାସକଦଶା ସୂତ୍ର, ୮. ଅନ୍ତଗଡ଼ଦଶା ସୂତ୍ର, ୯. ଅନୁତ୍ତରୋବବାଈ ସୂତ୍ର, ୧୦. ବିପାକ ସୂତ୍ର ଓ ୧୧. ପ୍ରଶ୍ନବ୍ୟାକରଣ ସୂତ୍ର ।
୧୨(ଦ୍ୱାଦଶ) ଉପାଙ୍ଗ — ୧. ଉପବାଈ ସୂତ୍ର, ୨. ରାବପ୍ସେନୀ ସୂତ୍ର, ୩. ଜୀବାଭିଗମ ସୂତ୍ର, ୪. ପନ୍ନଗଣା ସୂତ୍ର, ୫. ଜମ୍ବୂଦ୍ୱୀପପନ୍ନତି ସୂତ୍ର, ୬. ଚନ୍ଦପନ୍ନତି ସୂତ୍ର, ୭. ସୂରପନ୍ନତି ସୂତ୍ର, ୮. ନିରିୟାବଲୀ ସୂତ୍ର, ୯. କପ୍ପିୟା ସୂତ୍ର, ୧୦. କପବଡ଼ୀସୟା ସୂତ୍ର, ୧୧. ପୁପ୍ପିୟା ସୂତ୍ର ଓ ୧୨. ପୁପ୍ପଚୂଲିୟା ସୂତ୍ର ।
୫(ପାଞ୍ଚ) କଳ୍ପସୂତ୍ର — ୧. ଉତ୍ତରାଧ୍ୟୟନ ସୂତ୍ର, ୨. ନିଶୀଥ ସୂତ୍ର, ୩. କଳ୍ପସୂତ୍ର, ୪. ବ୍ୟବହାରସୂତ୍ର ଓ ୫. ଜୀତକଳ୍ପ ସୂତ୍ର ।
୬(ଛଅ) ଛେଦ — ୧. ମହାନିଶୀଥବୃହଦ୍ବାଚନା ସୂତ୍ର, ୨. ମହାନିଶୀଥଲଘୁବାଚନା ସୂତ୍ର, ୩. ମଧ୍ୟମବାଚନା ସୂତ୍ର, ୪. ପିଣ୍ଡନିରୁକ୍ତି ସୂତ୍ର, ୫. ଔଘନିରୁକ୍ତି ସୂତ୍ର, ୬. ପର୍ଯ୍ୟୁଷଣା ସୂତ୍ର ।
୧୦ (ଦଶ) ପୟନ୍ନ-ସୂତ୍ର — ୧. ଚତୁସ୍ସରଣ ସୂତ୍ର, ୨. ପଞ୍ଚଖାଣ ସୂତ୍ର, ୩. ତଦୁଲବୈୟାଲିକ ସୂତ୍ର, ୪. ଭକ୍ତିପରିଜ୍ଞାନ ସୂତ୍ର, ୫. ମହାପ୍ରତ୍ୟାଖ୍ୟାନ ସୂତ୍ର, ୬. ଚନ୍ଦାବିଜୟ ସୂତ୍ର, ୭. ଗଣୀବିଜୟ ସୂତ୍ର, ୮. ମରଣସମାଧି ସୂତ୍ର, ୯. ଦେବେନ୍ଦ୍ରସ୍ତବନ ସୂତ୍ର, ୧୦. ସଂସାର ସୂତ୍ର । ଏତଦ୍ବ୍ୟତୀତ ନନ୍ଦୀସୂତ୍ର ଓ ଅନୁୟୋଗୋଦ୍ଧାର ସୂତ୍ର ମଧ୍ୟ ପ୍ରାମାଣିକ ବୋଲି ମାନନ୍ତି ।
୫ ପଞ୍ଚାଙ୍ଗ — ୧. ପୂର୍ବ ସମସ୍ତ ଗ୍ରନ୍ଥର ଟୀକା, ୨. ନିରୁକ୍ତି, ୩. ଚରଣୀ, ୪. ଭାଷ୍ୟ- ଏ ଚାରି ଅବୟବ ଓ ସମସ୍ତ ‘ମୂଳ’ ଗ୍ରନ୍ଥକୁ ମିଶାଇ ‘ପଞ୍ଚାଙ୍ଗ’ କୁହାଯାଏ । 
ଏମାନଙ୍କ ମଧ୍ୟରୁ ‘ଢୂଂଢ଼ିୟା’ ଅବୟବକୁ ମାନନ୍ତି ନାହିଁ । ଏସବୁ ବ୍ୟତୀତ ବି  ଅନେକ ଗ୍ରନ୍ଥ ଅଛି ଯାହାକୁ ଜୈନମାନେ ମାନନ୍ତି । ଏମାନଙ୍କ ମତ ସମ୍ବନ୍ଧରେ ବିଶେଷ ବିଚାର ଦ୍ୱାଦଶ ସମୁଲ୍ଲାସରେ ଦ୍ରଷ୍ଟବ୍ୟ ।
ଜୈନମାନଙ୍କ ଗ୍ରନ୍ଥରେ ଲକ୍ଷେ ପୁନରୁକ୍ତ ଦୋଷ ଅଛି । ପୁଣି ଏମାନଙ୍କ ଏହା ବି ସ୍ୱଭାବ ଯେ ନିଜ ମତର ଗ୍ରନ୍ଥ ଅନ୍ୟ ମତାବଲମ୍ବୀଙ୍କ ହାତରେ ପଡ଼ିଲେ, ଅନ୍ୟ ଦ୍ୱାରା ଛପା ହୋଇଥିବାର ଜାଣିଲେ, କେହି-କେହି ସେ ଗ୍ରନ୍ଥକୁ ଅପ୍ରାମାଣିକ ବୋଲି କହନ୍ତି । ଏହା ସେମାନଙ୍କ ମିଥ୍ୟା କଥନ । କାରଣ ଜୈନମତର କୌଣସି ଗ୍ରନ୍ଥକୁ କେହି-କେହି ମାନନ୍ତି ଓ ଆଉ କେହି-କେହି ମାନନ୍ତି ନାହିଁ ବୋଲି ସେ ଗ୍ରନ୍ଥ ଜୈନମତର ବହିର୍ଭୂତ ବୋଲି ସ୍ୱୀକାର କରାଯାଇପାରିବ ନାହିଁ । ହଁ, ଯଦି କୌଣସି ଗ୍ରନ୍ଥକୁ କୌଣସି ବି ଜୈନ ମାନୁନାହାନ୍ତି କି କେବେ କୌଣସି ଜୈନ ମାନିନାହାନ୍ତି, ତେବେ ତ ସେ ଗ୍ରନ୍ଥ ଅଗ୍ରାହ୍ୟ ହୋଇପାରିବ । କିନ୍ତୁ ଜୈନମତର ଏପରି କୌଣସି ଗ୍ରନ୍ଥ ନାହିଁ ଯାହାକୁ କି କୌଣସି ବି ଜୈନ ମାନନ୍ତି ନାହିଁ । ଅତଏବ ଯେଉଁ ଜୈନ ଯେଉଁ ଗ୍ରନ୍ଥକୁ ମାନୁଛନ୍ତି, ସେହି ଗ୍ରନ୍ଥସ୍ଥ ବିଷୟକ ଖଣ୍ଡନ-ମଣ୍ଡନ ମଧ୍ୟ ତାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବୁଝିବା ଉଚିତ । କିନ୍ତୁ ବହୁତ ଏମିତି ବି ଜୈନ ଅଛନ୍ତି ଯେଉଁମାନେ କି ସେ ଗ୍ରନ୍ଥକୁ ମାନନ୍ତି-ଜାଣନ୍ତି, ତଥାପି ସଭା ବା ଆଲୋଚନାରେ ଅସ୍ୱୀକାର କରିଦିଅନ୍ତି । ଏଇଥି ପାଇଁ ଜୈନମାନେ ନିଜ ଗ୍ରନ୍ଥକୁ ଲୁଚାଇ ରଖିଥାନ୍ତି, ଅନ୍ୟ ମତାବଲମ୍ବୀଙ୍କୁ ଦିଅନ୍ତି ନାହିଁ, ସେ ବିଷୟ ଅନ୍ୟକୁ ପଢ଼ାନ୍ତି ନାହିଁ କି ଶୁଣାନ୍ତି ନାହିଁ । କାରଣ ସେସବୁ ପୁସ୍ତକରେ ଏଭଳି ଅସମ୍ଭବ କଥା ସବୁ ଭରି ରହିଛି ଯାହାର କୌଣସି ଉତ୍ତର ଜୈନମାନେ ଦେଇପାରିବେ ନାହିଁ । ମିଥ୍ୟା କଥାକୁ ପରିତ୍ୟାଗ କରିବା ହିଁ ଉତ୍ତର ।
ତ୍ରୟୋଦଶ ସମୁଲ୍ଲାସରେ ଖ୍ରୀଷ୍ଟିଆନ୍ମାନଙ୍କ ମତ ବିଷୟରେ ଲେଖାଯାଇଛି । ଏମାନେ ‘ବାଇବେଲ୍’କୁ ନିଜର ଧର୍ମପୁସ୍ତକ ବୋଲି ମାନନ୍ତି । ଏ ମତର ବିଶେଷ ସମୀକ୍ଷା ଏହି ତ୍ରୟୋଦଶ ସମୁଲ୍ଲାସରେ ଦେଖନ୍ତୁ ।
ଚତୁର୍ଦ୍ଦଶ ସମୁଲ୍ଲାସରେ ମୁସଲମାନଙ୍କ ମତ ବିଷୟରେ ଲେଖାଯାଇଛି । ଏମାନେ ‘କୋରାନ୍’କୁ ନିଜ ମତର ମୂଳ ପୁସ୍ତକ ମାନନ୍ତି । ଏମାନଙ୍କ ବିସ୍ତୃତ ସମୀକ୍ଷା ଏହି ଚତୁର୍ଦ୍ଦଶ ସମୁଲ୍ଲାସରେ ଦ୍ରଷ୍ଟବ୍ୟ । ଏହା ପରେ ସ୍ୱମନ୍ତବ୍ୟାନ୍ତବ୍ୟ ପ୍ରକାଶରେ ବୈଦିକ ମତ ବିଷୟରେ ଲେଖାଯାଇଛି ।
ଯେ କେହି ଏହି ଗ୍ରନ୍ଥକୁ ଗ୍ରନ୍ଥକର୍ତ୍ତାଙ୍କ ତାତ୍ପର୍ଯ୍ୟର ବିରୁଦ୍ଧ-ବିଚାରରେ ଦେଖିବ, ତାକୁ ଏହାର ଯଥାର୍ଥ ଅଭିପ୍ରାୟ କେବେ ବି ହୃଦୟଙ୍ଗମ ହେବ ନାହିଁ । କାରଣ କୌଣସି ବାକ୍ୟର ଅର୍ଥ ବୁଝିବା ପାଇଁ ୪ଟି ସହାୟକ କାରଣ ଥାଆନ୍ତି — ଅକାଂକ୍ଷା, ଯୋଗ୍ୟତା, ଆସତ୍ତି ଓ ତାତ୍ପର୍ଯ୍ୟ । ଯେତେବେଳେ ଏହି ଚାରୋଟି ବିଷୟକୁ ଧ୍ୟାନ ଦେଇ କୌଣସି ବ୍ୟକ୍ତି କୌଣସି  ଗ୍ରନ୍ଥକୁ ଅଧ୍ୟୟନ କରେ ସେତେବେଳେ ତାକୁ ସେ ଗ୍ରନ୍ଥର ଅଭିପ୍ରାୟ ଯଥାଯଥ ରୂପେ ଜଣାପଡ଼େ —
୧. ଆକାଂକ୍ଷା — କୌଣସି ବିଷୟରେ ବାକ୍ୟସ୍ଥ ପଦମାନଙ୍କ ଦ୍ୱାରା ବକ୍ତା ଯାହା ପ୍ରକାଶ କରିବାକୁ ଚାହେଁ ତାକୁ ଆକାଂକ୍ଷା କହନ୍ତି ।
୨. ଯୋଗ୍ୟତା — ବାକ୍ୟରେ ପ୍ରଯୁକ୍ତ ପଦରେ କୌଣସି କାର୍ଯ୍ୟ କରିବାର ଥିବା କ୍ଷମତାକୁ ‘ଯୋଗ୍ୟତା’ କହନ୍ତି । ଯଥା- ‘ଜଳ’ ଦ୍ୱାରା ଗଛକୁ ସିଞ୍ଚନ କରୁଛି । ଏହା ଠିକ୍ । କିନ୍ତୁ ଯଦି କୁହାଯାଏ ‘ଅଗ୍ନି’ ଦ୍ୱାରା ସିଞ୍ଚନ କରୁଛି । ତେବେ ତାହା ଭୁଲ୍ । କାରଣ ଅଗ୍ନିରେ ସେ କ୍ଷମତା ନାହିଁ ।
୩. ଆସତ୍ତି — ବାକ୍ୟରେ ପ୍ରଯୁକ୍ତ ପଦଗୁଡ଼ିକ ମଧ୍ୟରୁ ଯେଉଁ ପଦ ସହ ଯେଉଁ ପଦର ନିକଟ ସମ୍ବନ୍ଧ ଅଛି, ସେହି ପଦକୁ ସେ ପଦର ସମୀପରେ କହିବା ବା ଲେଖିବା ।
୪. ତାତ୍ପର୍ଯ୍ୟ — ଯେଉଁ ଅଭୀଷ୍ଟ ଉଦ୍ଦେଶ୍ୟରେ ବକ୍ତା କୌଣସି ଶବ୍ଦ ଉଚ୍ଚାରଣ କରେ ଅଥବା ଲେଖେ, ଶ୍ରୋତା ବା ପାଠକ ସେ ଶବ୍ଦର ସେହି ପ୍ରସଙ୍ଗାନୁକୂଳ, ଆଶୟଯୁକ୍ତ ଅର୍ଥ ଗ୍ରହଣ କରିବା ।
ବହୁ ହଠୀ-ଦୁରାଗ୍ରହୀ ଲୋକ  ଅଛନ୍ତି ଯେଉଁମାନେ କି ବକ୍ତାର ଅଭିପ୍ରାୟର ବିରୁଦ୍ଧ କଳ୍ପନା କରନ୍ତି, ବିଶେଷତଃ ସାଂପ୍ରଦାୟିକ ଲୋକମାନେ । କାରଣ ସେ ସଂପ୍ରଦାୟର ପୂର୍ବାଗ୍ରହ ଜନିତ ଅଜ୍ଞାନାନ୍ଧକାରରେ ଫସି ସେମାନଙ୍କ ବୁଦ୍ଧି ନଷ୍ଟ ହୋଇଯାଇଥାଏ । ଏଣୁ ମୁଁ ଯେପରି ପୁରାଣ, ଜୈନ ଗ୍ରନ୍ଥ, ବାଇବେଲ୍ ଓ କୋରାନ୍କୁ ପ୍ରଥମରୁ ହିଁ ଖରାପ ଦୃଷ୍ଟିରେ ନ ଦେଖି ସେ ସବୁର ଗୁଣଗ୍ରହଣ ଓ ଦୋଷତ୍ୟାଗ ତଥା ଅନ୍ୟ ମନୁଷ୍ୟଜାତିର ଉନ୍ନତି ନିମନ୍ତେ  ପ୍ରଯତ୍ନ କରିଛି, ସେହିପରି ସମସ୍ତଙ୍କ ପକ୍ଷେ କରଣୀୟ ।
ଏସବୁ ମତର ଅଳ୍ପ ଦୋଷ ହିଁ ପ୍ରକାଶିତ କରାଯାଇଛି, ଯାହାକୁ ଦେଖି ଲୋକମାନେ ସତ୍ୟ-ଅସତ୍ୟର ନିର୍ଣ୍ଣୟ କରିପାରିବେ ଏବଂ ସତ୍ୟର ଗ୍ରହଣ ଓ ଅସତ୍ୟର ପରିତ୍ୟାଗ କରିବା-କରାଇବାକୁ ସମର୍ଥ ହେବେ । କାରଣ ଗୋଟିଏ ମନୁଷ୍ୟ-ଜାତି ମଧ୍ୟରେ ଜଣକୁ ଅନ୍ୟ ବିରୁଦ୍ଧରେ ପ୍ରବର୍ତ୍ତାଇ, ବିରୁଦ୍ଧ-ବୁଦ୍ଧି କରାଇ, ଜଣକୁ ଅନ୍ୟର ଶତ୍ରୁ କରାଇ, ଝଗଡ଼ାଝାଟି କରାଇବା ବିଦ୍ୱାନଙ୍କ ସ୍ୱଭାବର ପରିପନ୍ଥୀ ।
ଯଦ୍ୟପି ଏହି ଗ୍ରନ୍ଥକୁ ଦେଖି ଅବିଦ୍ୱାନ୍ ଲୋକେ ଅନ୍ୟଥା ହିଁ ବିଚାରିବେ, ତଥାପି ବୁଦ୍ଧିମାନ୍ ବ୍ୟକ୍ତିମାନେ ଏହାର ଅଭିପ୍ରାୟକୁ ଯଥାଯଥ ରୂପେ ବୁଝିପାରିବେ । ଏଣୁ ମୁଁ ମୋର ଅଭିପ୍ରାୟ ସମସ୍ତ ସଜ୍ଜନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି ଓ ଶ୍ରମକୁ ସଫଳ ମନେକରୁଛି । ଏହାକୁ ପଢ଼ି-ପଢ଼ାଇ ମୋର ଶ୍ରମ ସାର୍ଥକ କରିବା ହେବେ । ଏହିଭଳି ଭାବେ ପକ୍ଷପାତରହିତ ହୋଇ ସତ୍ୟାର୍ଥର ପ୍ରକାଶ କରିବା  ମୋର ତଥା ସମସ୍ତ ମହାଶୟଙ୍କର ମୁଖ୍ୟ କରଣୀୟ କର୍ମ ।
ସର୍ବାତ୍ମା, ସର୍ବାନ୍ତର୍ଯ୍ୟାମୀ, ସଚ୍ଚିଦାନନ୍ଦ ପରମାତ୍ମା ସ୍ୱ କୃପାକଟାକ୍ଷରେ ଏହି ଆଶୟକୁ ବିସ୍ତୃତ ଓ ଚିରସ୍ଥାୟୀ କରନ୍ତୁ ।
 
।। ଅଲମତିବିସ୍ତରେଣ ବୁଦ୍ଧିମଦ୍ବିଦ୍ୱଦ୍ବରଶିରୋମଣିଷୁ ।ା
।। ଇତି ଭୂମିକା ।ା
 
ସ୍ଥାନ - ମହାରାଣାଙ୍କ ଉଦୟପୁର
ଭାଦ୍ରପଦ, ଶୁକ୍ଳପକ୍ଷ, ସମ୍ବତ୍୧୯୩୯ (ସ୍ୱାମୀ) ଦୟାନନ୍ଦ ସରସ୍ୱତୀ
 
ବବବ
ଅଥ ସତ୍ୟାର୍ଥପ୍ରକାଶଃ 
ଅଥ ପ୍ରଥମସମୁଲ୍ଲାସାରମ୍ଭଃ
 
ଓ୩ମ୍  ଶନ୍ନୋ  ମିତ୍ରଃ  ଶଂ  ବରୁଣଃ  ଶନ୍ନୋ  ଭବତ୍ୱର‌୍ୟ୍ୟମା । 
ଶନ୍ନଽଇନ୍ଦ୍ରୋ  ବୃହସ୍ପତିଃ  ଶନ୍ନୋ  ବିଷ୍ଣୁରୁରୁକ୍ରମଃ ।ା
ନମୋ  ବ୍ରହ୍ମଣେ  ନମସ୍ତେ  ବାୟୋ  ତ୍ୱମେବ  ପ୍ରତ୍ୟକ୍ଷଂ  ବ୍ରହ୍ମାସି । ତ୍ୱାମେବ  ପ୍ରତ୍ୟକ୍ଷଂ  ବ୍ରହ୍ମ  ବଦିଷ୍ୟାମି  ଋତଂ  ବଦିଷ୍ୟାମି  ସତ୍ୟଂ ବଦିଷ୍ୟାମି  ତନ୍ମାମବତୁ  ତଦ୍ବକ୍ତାରମବତୁ । ଅବତୁ  ମାମ୍ । ଅବତୁ ବକ୍ତାରମ୍ ।  ଓ୩ମ୍  ଶାନ୍ତିଶ୍ଶାନ୍ତିଶ୍ଶାନ୍ତିଃ ।ା
                                                                (ତୈ. ଆ. ପ୍ରପା.୭ : ଅନୁ.୧)
  ଅର୍ଥ — (ଓ୩ମ୍) ଏହି ‘ଓ୩ମ୍’  ଶବ୍ଦ ପରମେଶ୍ୱରଙ୍କ ସର୍ବଶ୍ରେଷ୍ଠ ନାମ । କାରଣ ‘ଅ’, ‘ଉ’ ଓ ‘ମ୍’ ଏ ତିନୋଟି ଅକ୍ଷରର ମିଶ୍ରଣରେ ‘ଓ୩ମ୍’ ଶବ୍ଦର ସୃଷ୍ଟି ତଥା ଏହି ଗୋଟିଏ ନାମରେ ପରମେଶ୍ୱରଙ୍କ ବହୁତ ନାମ ନିହିତ । ଯଥା— ‘ଅ’କାରରେ ବିରାଟ୍, ଅଗ୍ନି ଓ ବିଶ୍ୱ ଆଦି; ‘ଉ’କାରରେ ହିରଣ୍ୟଗର୍ଭ, ବାୟୁ ଓ ତୈଜସ ଆଦି; ‘ମ’କାରରେ ଈଶ୍ୱର, ଆଦିତ୍ୟ ଓ ପ୍ରାଜ୍ଞ ଆଦି । ବେଦାଦି ସତ୍ୟଶାସ୍ତ୍ରମାନଙ୍କରେ ଏହାର ଏପରି ହିଁ ସ୍ପଷ୍ଟ ରୂପେ ବ୍ୟାଖ୍ୟାନ କରାଯାଇଛି । ପ୍ରକରଣାନୁସାରେ ଏ ସମସ୍ତ ନାମ କେବଳ ପରମେଶ୍ୱରଙ୍କୁ ହିଁ ବୁଝାଏ ।
ପ୍ରଶ୍ନ — ଉକ୍ତ ‘ବିରାଟ୍’ ଆଦି ନାମ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ପଦାର୍ଥର ବାଚକ କାହିଁକି ନ ହେବ? କାରଣ ବ୍ରହ୍ମାଣ୍ଡ, ପୃଥିବୀ ଆଦି ଭୂତ, ମନୁଷ୍ୟ, ବିଦ୍ୱାନ୍ ଇନ୍ଦ୍ରାଦି ଦେବତା ଏବଂ ଆୟୁର୍ବେଦରେ ଶୁଣ୍ଠି ଆଦି ଔଷଧର ବି ଏ ନାମ ଉଲ୍ଲେଖ ଅଛି ।
 ଉତ୍ତର — ହଁ, ଏସବୁ ନାମ ଅନ୍ୟ ପଦାର୍ଥର ବି ଅଟେ । କିନ୍ତୁ ପରମାତ୍ମାଙ୍କର ବି ଅଟେ । 
 ପ୍ରଶ୍ନ — ଏସବୁ ନାମରେ  ଆମେ କେବଳ ଦେବତାଙ୍କୁ ବୁଝୁ  ।
 ଉତ୍ତର — ‘ଏସବୁ ନାମରେ କେବଳ ଦେବତାଙ୍କୁ ଗ୍ରହଣ କରାଯିବ’ ବୋଲି ଆପଣଙ୍କ ଏ ବିଚାର ସପକ୍ଷରେ କ’ଣ ପ୍ରମାଣ ଅଛି?
 ପ୍ରଶ୍ନ — ଦେବତାମାନେ ପ୍ରସିଦ୍ଧ ଏବଂ ଉତ୍ତମ ବି ଅଟନ୍ତି । ଏଣୁ ଏସବୁ ନାମରେ ମୁଁ ସେମାନଙ୍କୁ ଗ୍ରହଣ କରୁଛି ।
 ଉତ୍ତର — କ’ଣ ପରମେଶ୍ୱର ଅପ୍ରସିଦ୍ଧ? ଏବଂ ତାଙ୍କଠୁ ଉତ୍ତମ କ’ଣ ଆଉ କିଏ ଅଛି? ଫେରେ ଏସବୁ ନାମ ପରମେଶ୍ୱରଙ୍କର ବି ବୋଲି କାହିଁକି ମାନୁନାହାନ୍ତି? ଯେହେତୁ ପରମେଶ୍ୱର ଅପ୍ରସିଦ୍ଧ ନୁହନ୍ତି ଏବଂ ତାଙ୍କ ସମକକ୍ଷ ବି ଆଉ କେହି ନାହିଁ, ତେଣୁ ତାଙ୍କଠୁ ଉତ୍ତମ ଆଉ କେହି ହେବାର ପ୍ରଶ୍ନ ଉଠୁଛି କୁଆଡୁ? ଏଣୁ ଆପଣଙ୍କ ଏ କଥନ, “ଦେବତାମାନେ ପ୍ରସିଦ୍ଧ ଓ ଉତ୍ତମ ହୋଇଥିବାରୁ ‘ବିରାଟ୍’ ଆଦି ନାମରେ ସେମାନଙ୍କୁ ହିଁ ବୁଝାଯିବ”, ସତ୍ୟ ନୁହେଁ । କାରଣ ଆପଣଙ୍କ ଏ କଥନରେ ଅନେକ ଦୋଷ ବି ଅଛି । ଯଥା— ‘ଉପସ୍ଥିତଂ  ପରିତ୍ୟଜ୍ୟାଽନୁପସ୍ଥିତଂ  ୟାଚତ ଇତି  ବାଧିତନ୍ୟାୟଃ’ । ଜଣେ ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ଆଗରେ ଖାଦ୍ୟ ପଦାର୍ଥ ରଖିଦେଇ କହିଲେ— ‘ଭୋଜନ କରନ୍ତୁ ।’ ଖାଦ୍ୟ ପ୍ରାପ୍ତ କରିଥିବା ସେହି ବ୍ୟକ୍ତିଜଣକ ଯଦି ସମ୍ମୁଖରେ ପ୍ରାପ୍ତ ଭୋଜନ ଛାଡ଼ି ଅପ୍ରାପ୍ତ ଖାଦ୍ୟ ଆଶାରେ ଏଣେ-ତେଣେ ଖୋଜି ବୁଲନ୍ତି, ତେବେ ତାଙ୍କୁ ବୁଦ୍ଧିମାନ୍ କୁହାଯାଇପାରିବ ନାହିଁ । କାରଣ ସେ ଉପସ୍ଥିତ ଅର୍ଥାତ୍ ସମୀପରେ ପ୍ରାପ୍ତ ପଦାର୍ଥକୁ ଛାଡ଼ି ଅନୁପସ୍ଥିତ ଅର୍ଥାତ୍ ଅପ୍ରାପ୍ତ ପଦାର୍ଥର ପ୍ରାପ୍ତି ପାଇଁ ବୃଥା ପରିଶ୍ରମ କରୁଛନ୍ତି । ଅତଃ ସେହି ବ୍ୟକ୍ତି ଯେପରି ବୁଦ୍ଧିମାନ୍ ନୁହନ୍ତି, ଆପଣଙ୍କ ବକ୍ତବ୍ୟ ମଧ୍ୟ ସେପରି ବୁଦ୍ଧିମତ୍ତାର ପରିଚାୟକ ନୁହେଁ । କାରଣ ଆପଣ ସେ ‘ବିରାଟ୍’ ଆଦି ନାମର ପ୍ରସିଦ୍ଧ, ପ୍ରମାଣସିଦ୍ଧ ‘ପରମେଶ୍ୱର’ ଓ ‘ବ୍ରହ୍ମାଣ୍ଡ’ ଆଦି ଉପସ୍ଥିତ ଅର୍ଥ ପରିତ୍ୟାଗ କରି ଅସମ୍ଭବ ଓ ଅନୁପସ୍ଥିତ ‘ଦେବତା’ ଅର୍ଥ ଗ୍ରହଣ କରିବା ପାଇଁ ଅଯଥା ପରିଶ୍ରମ କରୁଛନ୍ତି, ଯେଉଁଥିରେ କି କୌଣସି ପ୍ରମାଣ କି ଯୁକ୍ତି ନାହିଁ । 
ଆପଣ ଏହା କହିପାରନ୍ତି କି — “ଯେଉଁଠି ଯେଉଁ ପ୍ରକରଣ ଥିବ, ସେଠାରେ ସେ ଅର୍ଥ ଗ୍ରହଣ କରିବା ଉଚିତ । ଯେପରିକି ଜଣେ ବ୍ୟକ୍ତି ସ୍ୱ ଭୃତ୍ୟକୁ କହିଲେ, ‘ହେ  ଭୃତ୍ୟ! ତ୍ୱଂ  ସୈନ୍ଧବମାନୟ’— ତୁମେ ସୈନ୍ଧବ ଆଣ । ସେତେବେଳେ ସେ ଭୃତ୍ୟଜଣକ ସମୟ ଅର୍ଥାତ୍ ପ୍ରକରଣର ବିଚାର କରିବା ଆବଶ୍ୟକ । କାରଣ ‘ସୈନ୍ଧବ’ର ଦୁଇଟି ଅର୍ଥ— ଘୋଡ଼ା ଓ ଲୁଣ । ଯଦି ମୁନିବଙ୍କ ଅନ୍ୟତ୍ର ଗମନ ସମୟ ତେବେ ଘୋଡ଼ା ଏବଂ ଯଦି ଭୋଜନର ସମୟ ତେବେ ଳୁଣ ଆଣିବା ଉଚିତ । ତା’ ପରିବର୍ତ୍ତେ ଯଦି ଭୃତ୍ୟଟି ଯିବା ସମୟରେ ଲୁଣ ଓ ଭୋଜନ ସମୟରେ ଘୋଡ଼ା ଆଣି ଦିଏ ତେବେ ତା’ ମୁନିବ ତା’ ଉପରେ ବିରକ୍ତ ହୋଇ କହିବେ, ‘ତୁ ଟା’ ବୁଦ୍ଧିହୀନ । ଯାତ୍ରା କାଳରେ ଲବଣ ଓ ଭୋଜନ ସମୟରେ ଘୋଡ଼ା ଆଣିବାର ଆବଶ୍ୟକତା କ’ଣ? ତୋର ପ୍ରକରଣ ଜ୍ଞାନ ନାହିଁ । ନଚେତ୍ ଯେଉଁ ସମୟରେ ଯାହା ଆଣିବା ଉଚିତ, ତାହା ଆଣିଥାନ୍ତୁ । ତୋର ପ୍ରକରଣ ବିଷୟରେ ବିଚାର କରିବାର ଥିଲା । ତାହା ତୁ କଲୁନାହିଁ । ଏଣୁ ତୁ ମହାମୂର୍ଖ । ଯା’ ବାହାରି ଯା’ ମୋ ପାଖରୁ ।’ ଏଥିରୁ କ’ଣ ନିଷ୍କର୍ଷ ବାହାରିଲା? ଏଇଆ ଯେ, ଯେଉଁଠି ଯେଉଁ ଅର୍ଥ ପ୍ରଯୁଜ୍ୟ, ସେଠାରେ ସେହି ଅର୍ଥ ଗ୍ରହଣ କରିବା ବିଧେୟ ।” ଅତଃ ଆମେ ଓ ଆପଣ ସମସ୍ତେ ଏପରି ହିଁ ମାନିବା ଓ କରିବା ଉଚିତ ।
ଅଥ ମନ୍ତ୍ରାର୍ଥଃ
 ଓ୩ମ୍  ଖଂ  ବ୍ରହ୍ମ । । ୧ । ।    (ୟଜୁଃ. ୪୦:୧୭)
ଦେଖନ୍ତୁ, ବେଦରେ ଏଭଳି ପ୍ରକରଣରେ ‘ଓମ୍’ ଆଦି ପରମେଶ୍ୱରଙ୍କ ନାମ ।
ଓମିତ୍ୟେତଦକ୍ଷରମୁଦ୍ଗୀଥମୁପାସୀତ । । ୨ । । (ଛାନ୍ଦୋଗ୍ୟ. ୧:୧:୧)
ଓମିତ୍ୟେତଦକ୍ଷରମିଦଂ  ସର୍ବଂ  ତସ୍ୟୋପବ୍ୟାଖ୍ୟାନମ୍ । । ୩ । ।     ( ମାଣ୍ଡୂକ୍ୟ. ୧)
ସର୍ବେ  ବେଦା  ୟତ୍ପଦମାମନନ୍ତି  ତପାଂସି  ସର୍ବାଣି  ଚ  ୟଦ୍ବଦନ୍ତି । 
ୟଦିଚ୍ଛନ୍ତୋ  ବ୍ରହ୍ମଚର‌୍ୟଂ  ଚରନ୍ତି  ତତ୍ତେ  ପଦଂ  ସଂଗ୍ରହେଣ  ବ୍ରବୀମ୍ୟୋମିତ୍ୟେତତ୍ । । ୪ । ।         (କଠ. ୨:୧୫)
ପ୍ରଶାସିତାରଂ  ସର୍ବେଷାମଣୀୟାଂସମଣୋରପି । 
ରୁକ୍ମାଭଂ  ସ୍ୱପ୍ନଧୀଗମ୍ୟଂ  ବିଦ୍ୟାତ୍ତଂ  ପୁରୁଷଂ  ପରମ୍ । । ୫ । ।
ଏତମେକେ  ବଦନ୍ତ୍ୟଗ୍ନିଂ  ମନୁମନ୍ୟେ  ପ୍ରଜାପତିମ୍ । 
ଇନ୍ଦ୍ରମେକେ  ପରେ  ପ୍ରାଣମପରେ  ବ୍ରହ୍ମ  ଶାଶ୍ୱତମ୍ । । ୬ । ।             (ମନୁ. ୧୨:୧୨୨,୧୨୩)
ସ  ବ୍ରହ୍ମା  ସ  ବିଷ୍ଣୁଃ  ସ  ରୁଦ୍ରସ୍ସ  ଶିବସ୍ସୋଽକ୍ଷରସ୍ସ  ପରମଃ  ସ୍ୱରାଟ୍  ।
ସ  ଇନ୍ଦ୍ରସ୍ସ  କାଲାଗ୍ନିସ୍ସ  ଚନ୍ଦ୍ରମାଃ  । । ୭ । ।               (କୈବଲ୍ୟ. ୧:୮)
ଇନ୍ଦ୍ରଂ  ମିତ୍ରଂ  ବରୁଣମଗ୍ନିମାହୁରଥୋ  ଦିବ୍ୟଃ ସ  ସୁପର୍ଣ୍ଣୋ  ଗରୁତ୍ମାନ୍ । 
ଏକଂ  ସଦ୍ବିପ୍ରା  ବହୁଧା  ବଦନ୍ତ୍ୟଗ୍ନିଂ  ୟମଂ  ମାତରିଶ୍ୱାନମାହୁଃ  । । ୮ । ।            (ଋକ୍. ୧:୧୬୪:୪୬)
ଭୂରସି  ଭୂମିରସ୍ୟଦିତିରସି  ବିଶ୍ୱଧାୟା  ବିଶ୍ୱସ୍ୟ  ଭୁବନସ୍ୟ  ଧର୍ତ୍ତ୍ରୀ । 
ପୃଥିବୀଂ  ୟଚ୍ଛ  ପୃଥିବୀଂ  ଦୃଂହ  ପୃଥିବୀଂ  ମା  ହିଂସୀଃ  । । ୯ । ।         (ୟଜୁଃ. ୧୩:୧୮)
ଇନ୍ଦ୍ରୋ  ମହ୍ନା  ରୋଦସୀ  ପପ୍ରଥଚ୍ଛବ  ଇନ୍ଦ୍ରଃ  ସୂର‌୍ୟ୍ୟମରୋଚୟତ୍ । 
ଇନ୍ଦ୍ରେ  ହ  ବିଶ୍ୱା  ଭୁବନାନି  ୟେମିର  ଇନ୍ଦ୍ରେ  ସ୍ୱାନାସ  ଇନ୍ଦବଃ । । ୧୦ । ।       (ସାମ. ପ୍ରପା. ୭: ତ୍ରିକ ୮:ମନ୍ତ୍ର ୨)
ପ୍ରାଣାୟ  ନମୋ  ୟସ୍ୟ  ସର୍ବମିଦଂ  ବଶେ । 
ୟୋ  ଭୂତଃ  ସର୍ବସ୍ୟେଶ୍ୱରୋ  ୟସ୍ମିନ୍ତ୍ସର୍ବଂ  ପ୍ରତିଷ୍ଠିତମ୍ । । ୧୧ । ।       (ଅଥର୍ବ. ୧୧:୪:୧)
ଏଠାରେ ଏସବୁ ପ୍ରମାଣ ଲେଖିବାର ଉଦ୍ଦେଶ୍ୟ ଏଇଆ ଯେ ଏଭଳି ପ୍ରକରଣରେ ‘ଓ୩ମ୍’ ଆଦି ନାମରେ ପରମାତ୍ମାଙ୍କ ଗ୍ରହଣ ହୁଏ, ଯାହାକି ପୂର୍ବରୁ କୁହାଯାଇଛି । ଦ୍ୱିତୀୟତଃ, ପରମେଶ୍ୱରଙ୍କ କୌଣସି ବି ନାମ ସେଭଳି ନିରର୍ଥକ ନୁହେଁ, ଯେଉଁଭଳି ସଂସାରରେ ନିରର୍ଥକ ନାମ ଦିଆଯାଇଥାଏ; ଯଥା- ‘ଦରିଦ୍ର’ ଆଦିଙ୍କ ନାମ ‘ଧନପତି’ ଆଦି । ଏଥିରୁ ଏହା ସିଦ୍ଧ ହେଲା ଯେ ପରମେଶ୍ୱରଙ୍କ ନାମ କେଉଁଠି ଗୌଣିକ, କେଉଁଠି କାର୍ମିକ ଏବଂ କେଉଁଠି ସ୍ୱାଭାବିକ ଅର୍ଥର ବାଚକ ।
‘ଓମ୍’ ଆଦି ନାମ ସାର୍ଥକ । ଯଥା—(ଓଂ ଖଂ.) ‘ଅବତୀତ୍ୟୋମ୍, ଆକାଶମିବ  ବ୍ୟାପକତ୍ୱାତ୍  ଖମ୍, ସର୍ବେଭ୍ୟୋ ବୃହତ୍ତ୍ୱାଦ୍  ବ୍ରହ୍ମ’— ରକ୍ଷା କରୁଥିବାରୁ ଈଶ୍ୱରଙ୍କ ନାମ ‘ଓମ୍’, ଆକାଶ ଭଳି ବ୍ୟାପକ ହୋଇଥିବା ହେତୁ ‘ଖମ୍’ ଏବଂ ସବୁଠୁ ବଡ଼ ହୋଇଥିବା ଯୋଗୁଁ ତାଙ୍କ ନାମ ‘ବ୍ରହ୍ମ’ । । ୧ । ।
(ଓମିତ୍ୟେତ.) ଯାହାଙ୍କ ନାମ ‘ଓ୩ମ୍’ ଏବଂ ଯାହାଙ୍କର କେବେ ବିନାଶ ନାହିଁ, କେବଳ ତାଙ୍କରି ଉପାସନା କରିବା ବିଧେୟ, ଅନ୍ୟ କାହାରି ନୁହେଁ । । । ୨ । ।
(ଓମିତ୍ୟେତ.)  ବେଦାଦି ସକଳ ଶାସ୍ତ୍ରରେ ପରମେଶ୍ୱରଙ୍କ ମୁଖ୍ୟ ଓ ନିଜ ନାମ ‘ଓ୩ମ୍’ ବୋଲି କୁହାଯାଇଛି । ଈଶ୍ୱରଙ୍କ ଅନ୍ୟ ସମସ୍ତ ନାମ ଗୌଣ ନାମ  । । ୩ । ।
(ସର୍ବେ ବେଦା.) ସକଳ ବେଦ, ସମସ୍ତ ଧର୍ମାନୁଷ୍ଠାନ ରୂପକ ତପଶ୍ଚରଣ ଯାହାଙ୍କ ବିଷୟରେ କହନ୍ତି ଓ ଯାହାଙ୍କୁ ସମ୍ମାନ ଦିଅନ୍ତି, ଯାହାଙ୍କ ପ୍ରାପ୍ତିର ଆକାଂକ୍ଷାରେ ବ୍ରହ୍ମଚର୍ଯ୍ୟାଦି ବ୍ରତ ପାଳନ କରାଯାଏ, ତାହାଙ୍କ ନାମ ‘ଓମ୍’ । ।  ୪ । ।
(ପ୍ରଶାସିତା.) ଯିଏ ସମସ୍ତଙ୍କ ଶିକ୍ଷାଦାତା, ସୂକ୍ଷ୍ମାତିସୂକ୍ଷ୍ମ, ସ୍ୱପ୍ରକାଶସ୍ୱରୂପ, ସମାଧିସ୍ଥ ବୁଦ୍ଧିରେ ଜାଣିବା ଯୋଗ୍ୟ, ସେ ପରମ ପୁରୁଷ ଅଟନ୍ତି । । ୫ । ।
(ଏତମେକେ) ପରମେଶ୍ୱର ପ୍ରକାଶସ୍ୱରୂପ ହୋଇଥିବାରୁ ତାଙ୍କ ନାମ ‘ଅଗ୍ନି’, ବିଜ୍ଞାନସ୍ୱରୂପ ହେବା ହେତୁ ‘ମନୁ’, ସମସ୍ତଙ୍କୁ ପାଳନ କରୁଥିବାରୁ ‘ପ୍ରଜାପତି’, ପରମ ଐଶ୍ୱର୍ଯ୍ୟବାନ୍ ହୋଇଥିବା ଯୋଗୁଁ ‘ଇନ୍ଦ୍ର’, ସମସ୍ତଙ୍କ ଜୀବନର ମୂଳ ଆଧାର ହୋଇଥିବାରୁ ‘ପ୍ରାଣ’ ଏବଂ ସର୍ବତ୍ର ବ୍ୟାପକ ହୋଇ ରହିଥିବା କାରଣରୁ ତାଙ୍କ ନାମ ‘ବ୍ରହ୍ମ’ । ।  ୬ । ।
(ସ ବ୍ରହ୍ମା ସ ବିଷ୍ଣୁଃ.) ପରମେଶ୍ୱର ସକଳ ଜଗତର ନିର୍ମାତା ହୋଇଥିବାରୁ ‘ବ୍ରହ୍ମା’, ସର୍ବତ୍ର ବ୍ୟାପକ ହୋଇ ରହିଥିବାରୁ ‘ବିଷ୍ଣୁ’, ଦୁଷ୍ଟଙ୍କୁ ଦଣ୍ଡ ଦେଇ ରୋଦନ କରାଉଥିବା ହେତୁ ‘ରୁଦ୍ର’, ମଙ୍ଗଳମୟ ଓ ସମସ୍ତଙ୍କ କଲ୍ୟାଣକାରୀ ହୋଇଥିବା ହେତୁ ‘ଶିବ’ ନାମରେ ନାମିତ । ‘ୟଃ  ସର୍ବମଶ୍ନୁତେ  ନ  କ୍ଷରତି  ନ  ବିନଶ୍ୟତି  ସ ଅକ୍ଷରଃ’ । । ୧ । । ‘ୟଃ  ସ୍ୱୟଂ  ରାଜତେ  ସ  ସ୍ୱରାଟ୍’ । । ୨ । । ‘ୟୋଽଗ୍ନିରିବ  କାଲଃ  କଲୟିତା  ପ୍ରଲୟକର୍ତ୍ତା  ସ  କାଲାଗ୍ନିରୀଶ୍ୱରଃ’ । । ୩ । ।  (ଅକ୍ଷରଃ) ସର୍ବତ୍ର ବ୍ୟାପକ ଓ ଅବିନାଶୀ ହୋଇଥିବାରୁ ତାଙ୍କ ନାମ ‘ଅକ୍ଷର’, (ସ୍ୱରାଟ୍) ସ୍ୱୟଂ ପ୍ରକାଶସ୍ୱରୂପ ହୋଇଥିବା ହେତୁ ତାଙ୍କ ନାମ ‘ସ୍ୱରାଟ୍’ ଓ (କାଲାଗ୍ନିଃ) ପ୍ରଳୟ ସମୟରେ ଅଗ୍ନି ସମ ସମସ୍ତଙ୍କ କାଳ ଏପରିକି କାଳର ବି କାଳ ହୋଇଥିବା ଯୋଗୁଁ ତାଙ୍କ ନାମ ‘କାଳାଗ୍ନି’ । ।  ୭ । ।
(ଇନ୍ଦ୍ରଂ  ମିତ୍ରଂ.) ଇନ୍ଦ୍ରାଦି ଯେତେ ସବୁ ନାମ ଅଛି, ସବୁ ସେହି ଏକ, ଅଦ୍ୱିତୀୟ ସତ୍ୟ ବ୍ରହ୍ମଙ୍କର ହିଁ ଅଟେ । ‘ଦ୍ୟୁଷୁ  ଶୁଦେ୍ଧଷୁ  ପଦାର୍ଥେଷୁ  ଭବୋ  ଦିବ୍ୟଃ’, ‘ଶୋଭନାନି  ପର୍ଣ୍ଣାନି  ପାଲନାନି  ପୂର୍ଣ୍ଣାନି  କର୍ମାଣି  ବା  ୟସ୍ୟ  ସଃ  ସୁପର୍ଣ୍ଣଃ’, ‘ୟୋ ଗୁର୍ବାତ୍ମା  ସ  ଗରୁତ୍ମାନ୍’ , ‘ୟୋ  ମାତରିଶ୍ୱା  ବାୟୁରିବ  ବଲବାନ୍  ସ  ମାତରିଶ୍ୱା’ । (ଦିବ୍ୟଃ) ପ୍ରକୃତି ଆଦି ଦିବ୍ୟ ପଦାର୍ଥରେ ବ୍ୟାପକ ହୋଇଥିବା କାରଣରୁ ପରମାତ୍ମାଙ୍କ ନାମ ‘ଦିବ୍ୟ’, (ସୁପର୍ଣ୍ଣଃ) ଉତ୍ତମ ପାଳକ ଓ ପୂର୍ଣ୍ଣକର୍ମା ହେତୁ ତାଙ୍କ ନାମ ‘ସୁପର୍ଣ୍ଣ’, (ଗରୁତ୍ମାନ୍) ତାଙ୍କର ଆତ୍ମା ବା ସ୍ୱରୂପ ମହାନ୍ ହୋଇଥିବାରୁ ସେ ‘ଗରୁତ୍ମାନ୍’ ଏବଂ (ମାତରିଶ୍ୱା) ବାୟୁ ଭଳି ଅମିତ ବଳଶାଳୀ ହୋଇଥିବା ଯୋଗୁଁ ତାଙ୍କ ନାମ ‘ମାତରିଶ୍ୱା’ । ଏ ମନ୍ତ୍ରରେ ଥିବା ଅନ୍ୟ ନାମଗୁଡ଼ିକର ଅର୍ଥ ଆଗକୁ ଲେଖାଯିବ । । ୮ । ।
(ଭୂରସି ଭୂମିରସି.) ‘ଭବନ୍ତି  ଭୂତାନି  ୟସ୍ୟାଂ  ସା  ଭୂଃ ବା  ଭୂମିଃ’— ସକଳ ଭୂତ ଅର୍ଥାତ୍ ପ୍ରାଣୀ ଈଶ୍ୱରଙ୍କ ଆଶ୍ରୟରେ ଥିବାରୁ ତାଙ୍କ ନାମ ‘ଭୂ’ ବା ‘ଭୂମି’ । ଏ ମନ୍ତ୍ରରେ ଥିବା ଅନ୍ୟ ନାମଗୁଡ଼ିିକର ଅର୍ଥ ଆଗକୁ ଲେଖାଯାଉଛି । । ୯ । ।
(ଇନ୍ଦ୍ରୋ ମହ୍ନା.) ଏ ମନ୍ତ୍ରରେ ‘ଇନ୍ଦ୍ର’ ପରମେଶ୍ୱରଙ୍କ ହିଁ ନାମ । ଏଣୁ ଏ ପ୍ରମାଣ ଦିଆଯାଇଛି । । ୧୦ । ।
(ପ୍ରାଣାୟ.) ଯେପରି ସମଗ୍ର ଶରୀର, ସମସ୍ତ ଇନ୍ଦ୍ରିୟ ପ୍ରାଣବାୟୁର ବଶୀଭୂତ, ସେହିପରି ସକଳ ଜଗତ ପରମେଶ୍ୱରଙ୍କ ବଶରେ ଅଛି । ତେଣୁ ତାଙ୍କର ନାମ ‘ପ୍ରାଣ’ । । ୧୧ । ।
ଉପରୋକ୍ତ ପ୍ରମାଣରୁ ନାମଗୁଡ଼ିିକର ଯଥାର୍ଥ ଅର୍ଥ ପ୍ରକାଶିତ ହେବା ଦ୍ୱାରା ଏ କଥା ସ୍ପଷ୍ଟ ହେଉଛି ଯେ ଏସବୁ ନାମରେ ମୁଖ୍ୟତଃ ପରମେଶ୍ୱରଙ୍କୁ ଗ୍ରହଣ କରାଯାଏ । କାରଣ ‘ଓ୩ମ୍’ ଓ ‘ଅଗ୍ନି’ ଆଦି ନାମ ମୁଖ୍ୟ ଅର୍ଥରେ ପରମେଶ୍ୱରଙ୍କୁ ହିଁ ବୁଝାଏ, ଯାହାକି ଋଷି-ମୁନି କୃତ ବ୍ୟାକରଣ, ନିରୁକ୍ତ, ବ୍ରାହ୍ମଣ, ସୂତ୍ର ଆଦି ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ । ସମସ୍ତେ ଏହି ଭଳି ହିଁ ଗ୍ରହଣ କରିବା ଉଚିତ  । ‘ଓ୩ମ୍’ ଅନ୍ୟ କୌଣସି ପଦାର୍ଥର ନାମ ନ ହୋଇ କେବଳ ପରମାତ୍ମାଙ୍କ ନାମ ହିଁ ହୋଇଥିବା ବେଳେ ‘ଅଗ୍ନି’ ଆଦି ନାମରେ ପରମେଶ୍ୱରଙ୍କୁ ଗ୍ରହଣ କରିବାରେ ପ୍ରକରଣ ଓ ବିଶେଷଣ ନିୟାମକ ହୋଇଥାନ୍ତି । ଅର୍ଥାତ୍ ଯେଉଁଠି-ଯେଉଁଠି ସ୍ତୁତି, ପ୍ରାର୍ଥନା, ଉପାସନା ଆଦି ପ୍ରକରଣ ଥାଏ ତଥା ସର୍ବଜ୍ଞ, ବ୍ୟାପକ, ଶୁଦ୍ଧ, ସନାତନ ଓ ସୃଷ୍ଟିକର୍ତ୍ତା ଆଦି ବିଶେଷଣ ଥାଏ, ସେହିସବୁ ସ୍ଥଳରେ ଏସବୁ ‘ଅଗ୍ନି’ ଆଦି ନାମରେ ପରମେଶ୍ୱରଙ୍କ ଗ୍ରହଣ ହୋଇଥାଏ । ଆଉ ଯେଉଁ କ୍ଷେତ୍ରରେ ନିମ୍ନମତେ ପ୍ରକରଣ ଥାଏ —
ତତୋ  ବିରାଡ଼ଜାୟତ  ବିରାଜୋଽଅଧିପୂରୁଷଃ ।            (ୟଜୁଃ. ୩୧:୫)
ଶ୍ରୋତ୍ରାଦ୍ୱାୟୁଶ୍ଚ  ପ୍ରାଣଶ୍ଚ  ମୁଖାଦଗ୍ନିରଜାୟତ । (ୟଜୁଃ. ୩୧:୧୨)
ତେନ  ଦେବାଽ  ଅୟଜନ୍ତ ।         (ୟଜୁଃ. ୩୧:୯)
ପଶ୍ଚାଦ୍ ଭୂମିମଥୋ  ପୁରଃ ।     (ୟଜୁଃ. ୩୧:୫)
ତସ୍ମାଦ୍ୱା  ଏତସ୍ମାଦାତ୍ମନ  ଆକାଶଃ  ସମ୍ଭୂତଃ । ଆକାଶାଦ୍ବାୟୁଃ । ବାୟୋରଗ୍ନିଃ । ଅଗ୍ନେରାପଃ । ଅଦ୍ଭ୍ୟଃ ପୃଥିବୀ । ପୃଥିବ୍ୟା ଓଷଧୟଃ । ଓଷଧିଭ୍ୟୋଽନ୍ନମ୍ । ଅନ୍ନାଦ୍ରେତଃ । ରେତସଃ ପୁରୁଷଃ । ସ  ବା  ଏଷ  ପୁରୁଷୋଽନ୍ନରସମୟଃ । ।        (ତୈତ୍ତି. ୨:୧)
ଏପରି ପ୍ରକରଣରେ ବିରାଟ୍, ପୁରୁଷ, ଦେବ, ଆକାଶ, ବାୟୁ, ଅଗ୍ନି, ଜଳ, ଭୂମି ଆଦି ନାମ ଲୌକିକ ପଦାର୍ଥର ହୋଇଥାଏ । କାରଣ ଯେଉଁ କ୍ଷେତ୍ରରେ ଉତ୍ପତ୍ତି, ସ୍ଥିତି, ପ୍ରଳୟ ଆଦି ବ୍ୟବହାର ତଥା ଅଳ୍ପଜ୍ଞ, ଜଡ଼, ଦୃଶ୍ୟ ଆଦି ବିଶେଷଣ ଉଲ୍ଲେଖ ଥାଏ ସେହି ସ୍ଥାନରେ ଥିବା ନାମ ପରମେଶ୍ୱରଙ୍କୁ ବୁଝାଏ ନାହିଁ, ଯେହେତୁକି ସେ ଉତ୍ପତ୍ତି ଆଦି ବ୍ୟବହାରରୁ ରହିତ ଅର୍ଥାତ୍ ତାଙ୍କର ଉତ୍ପତ୍ତି  ଆଦି ହୁଏ ନାହିଁ । ଉପରୋକ୍ତ ମନ୍ତ୍ରରେ ସେ ବସ୍ତୁ ସବୁର ଉତ୍ପତ୍ତି ଆଦି ବିଷୟ ବର୍ଣ୍ଣିତ ଥିବାରୁ ଏଠାରେ ‘ବିରାଟ୍’, ‘ଅଗ୍ନି’ ଆଦି ନାମ ଈଶ୍ୱରଙ୍କର ନୁହେଁ, ସାଂସାରିକ ପଦାର୍ଥଗୁଡ଼ିକର । ଅତଏବ ଯେଉଁ-ଯେଉଁ ସ୍ଥଳରେ ସର୍ବଜ୍ଞ ଆଦି ବିଶେଷଣ ଥାଏ, ସେହି-ସେହି ସ୍ଥାନରେ ପରମାତ୍ମା ଏବଂ ଯେଉଁ ସ୍ଥାନରେ ଇଚ୍ଛା, ଦ୍ୱେଷ, ପ୍ରଯତ୍ନ, ସୁଖ, ଦୁଃଖ ଆଦି ବ୍ୟବହାର ଓ ଅଳ୍ପଜ୍ଞ ଇତ୍ୟାଦି ବିଶେଷଣ ଥାଏ, ସେଠାରେ ଜୀବର ଗ୍ରହଣ କରାଯାଏ ଏହା ସର୍ବଦା ଧ୍ୟାନ ଦେବା ଉଚିତ ।  ଯେହେତୁ ପରମେଶ୍ୱରଙ୍କର ଜନ୍ମ-ମରଣ ଆଦି ନାହିଁ, ଏଣୁ ‘ବିରାଟ୍’, ‘ଅଗ୍ନି’ ଆଦି  ନାମ ଜନ୍ମାଦି ବିଶେଷଣଯୁକ୍ତ ଥିଲେ ସେଥିରୁ ଜଗତର ଜଡ଼ ପଦାର୍ଥ ଓ ଜୀବ ଅର୍ଥ ଗ୍ରହଣୀୟ, ପରମେଶ୍ୱର ଅର୍ଥ ଗ୍ରହଣୀୟ ନୁହେଁ ।
‘ବିରାଟ୍’, ‘ଅଗ୍ନି’ ଆଦି ନାମର ଅର୍ଥ କେଉଁଭଳି ଭାବେ ପରମେଶ୍ୱର ଅଟେ, ତାହା ନିମ୍ନରେ ଉଲ୍ଲେଖ କରାଯାଇଛି—
ଅଥ ଓଙ୍କାରାର୍ଥଃ
‘ଅ’ କାରରେ ଗୃହୀତ ନାମର ଅର୍ଥ —
ବିରାଟ୍ — ‘ବି’ ଉପସର୍ଗ ପୂର୍ବକ ‘ରାଜୃ ଦୀପ୍ତୌ’ ଧାତୁରେ ‘କି୍ୱପ୍’ ପ୍ରତ୍ୟୟ ଯୋଗରେ ‘ବିରାଟ୍’ ଶବ୍ଦ ଉତ୍ପନ୍ନ ହୁଏ । ‘ୟୋ  ବିବିଧଂ  ନାମ  ଚରାଽଚରଂ  ଜଗଦ୍-ରାଜୟତି  ପ୍ରକାଶୟତି  ସ  ବିରାଟ୍’ — ବିବିଧ ଅର୍ଥାତ୍ ବହୁ ପ୍ରକାର ଚରାଚର ଜଗତର ପ୍ରକାଶକ ହୋଇଥିବାରୁ ପରମେଶ୍ୱରଙ୍କ ନାମ ‘ବିରାଟ୍’ ।
ଅଗ୍ନି — ‘ଅଞ୍ଚୁ  ଗତିପୂଜନୟୋଃ’ ତଥା ‘ଅଗ’, ‘ଅଗି’, ‘ଇଣ୍’  ଗତ୍ୟର୍ଥକ ଧାତୁ ଅଟନ୍ତି । ଏସବୁ ଧାତୁରୁ ‘ଅଗ୍ନି’ ଶବ୍ଦ ଉତ୍ପନ୍ନ ହୁଏ । ‘ଗତେସ୍ତ୍ରୟୋଽର୍ଥାଃ - ଜ୍ଞାନଂ  ଗମନଂ  ପ୍ରାପ୍ତିଶ୍ଚେତି । ପୂଜନଂ  ନାମ  ସକ୍ରାରଃ’ । ଗତିର ତିନୋଟି ଅର୍ଥ - ଜ୍ଞାନ, ଗମନ ଓ ପ୍ରାପ୍ତି । ପୂଜନର ଅର୍ଥ ସକ୍ରାର । ଅତଃ ‘ୟୋଽଞ୍ଚତି, ଅଚ୍ୟତେଽଗତି-ଅଙ୍ଗତ୍ୟେତି ବା  ସୋଽୟମଗ୍ନିଃ’ — ଯିଏ ଜ୍ଞାନସ୍ୱରୂପ, ସର୍ବଜ୍ଞ ତଥା ଜାଣିବା, ପ୍ରାପ୍ତ କରିବା ଓ ପୂଜା କରିବା ଯୋଗ୍ୟ, ସେ ହିଁ ଅଗ୍ନି । ଏସବୁ ଲକ୍ଷଣରେ ସମ୍ପନ୍ନ ହୋଇଥିବାରୁ ପରମେଶ୍ୱରଙ୍କ ନାମ ‘ଅଗ୍ନି’ ।
ବିଶ୍ୱ — ‘ବିଶ ପ୍ରବେଶନେ’ ଧାତୁରୁ ‘ବିଶ୍ୱ’ ଶବ୍ଦ ନିଷ୍ପନ୍ନ । ‘ବିଶନ୍ତି  ପ୍ରବିଷ୍ଟାନି  ସନ୍ତି  ସର୍ବାଣି-ଆକାଶାଦୀନି ଭୂତାନି  ୟସ୍ମିନ୍, ୟୋ  ବାଽଽକାଶାଦିଷୁ  ସର୍ବେଷୁ  ଭୂତେଷୁ  ପ୍ରବିଷ୍ଟଃ  ସ  ବିଶ୍ୱ  ଈଶ୍ୱରଃ’ — ଆକାଶାଦି ସମସ୍ତ ଭୂତ ଯାହାଙ୍କଠାରେ ପ୍ରବେଶ କରିଅଛନ୍ତି, ଅଥବା ଯିଏ ବ୍ୟାପକ ହୋଇଥିବା ହେତୁ ଏସବୁରେ ପ୍ରବିଷ୍ଟ ହୋଇ ରହିଛନ୍ତି, ସେହି ପରମେଶ୍ୱରଙ୍କ ନାମ ‘ବିଶ୍ୱ’ ।
‘ଉ’ କାରରେ ଗୃହୀତ ନାମର ଅର୍ଥ —
ହିରଣ୍ୟଗର୍ଭ — ‘ଜ୍ୟୋତିର୍ବୈ  ହିରଣ୍ୟମ୍, ତେଜୋ  ବୈ  ହିରଣ୍ୟମ୍’ — ଇତ୍ୟୈତରେୟଶତପଥବ୍ରାହ୍ମଣେ । ‘ହିରଣ୍ୟାନି  ସୂର‌୍ୟର୍ାଦୀନି  ତେଜାଂସି  ଗର୍ଭେ  ୟସ୍ୟ  ସ  ହିରଣ୍ୟଗର୍ଭଃ’  ଅଥବା  ‘ୟୋ  ହିରଣ୍ୟାନାଂ  ସୂର‌୍ୟାଦୀନାଂ  ତେଜସାଂ  ଗର୍ଭ  ଉତ୍ପତ୍ତିନିମିତ୍ତମଧିକରଣଂ  ସ  ହିରଣ୍ୟଗର୍ଭଃ’ — ସୂର୍ଯ୍ୟାଦି ତେଜୋମୟ ଲୋକ ଯାହାଙ୍କଠାରେ ଉତ୍ପନ୍ନ ହୋଇ, ଯାହାଙ୍କ ଆଧାରରେ ରହନ୍ତି ଅଥବା ଯିଏ ସୂର୍ଯ୍ୟାଦି  ତେଜଃସ୍ୱରୂପ ପଦାର୍ଥମାନଙ୍କର ଗର୍ଭ ଅର୍ଥାତ୍ ଉତ୍ପତ୍ତି ଓ ନିବାସ ସ୍ଥାନ, ସେହି ପରମେଶ୍ୱରଙ୍କ ନାମ ‘ହିରଣ୍ୟଗର୍ଭ’ । ଏ ସମ୍ବନ୍ଧରେ ଯଜୁର୍ବେଦର ମନ୍ତ୍ରର ପ୍ରମାଣ ଅଛି —
ହିରଣ୍ୟଗର୍ଭଃ  ସମବର୍ତ୍ତତାଗ୍ରେ  ଭୂତସ୍ୟ  ଜାତଃ  ପତିରେକ  ଆସୀତ୍ । 
ସ  ଦାଧାର  ପୃଥିବୀଂ  ଦ୍ୟାମୁତେମାଂ  କସ୍ମୈ  ଦେବାୟ  ହବିଷା  ବିଧେମ ।ା (ୟଜୁଃ. ୧୩:୪)
ଏପରି ସ୍ଥଳରେ ‘ହିରଣ୍ୟଗର୍ଭ’ ଶବ୍ଦରେ ପରମେଶ୍ୱରଙ୍କୁ ଗ୍ରହଣ କରାଯାଏ ।
ବାୟୁ — ‘ବା ଗତିଗନ୍ଧନୟୋଃ’ ଧାତୁରୁ ‘ବାୟୁ’ ଶବ୍ଦର ଉତ୍ପତ୍ତି । ଗନ୍ଧନଂ  ହିଂସନମ୍ । ‘ୟୋ  ବାତି ଚରାଽଚରଂ  ଜଗଦ୍ଧରତି  ଜୀବୟତି ପ୍ରଲୟତି ବା ବଲିନାଂ  ବଲିଷ୍ଠଃ   ସ  ବାୟୁଃ’ — ଯିଏ ଚରାଚର ଜଗତକୁ ଧାରଣ, ପାଳନ ଓ ପ୍ରଳୟ କରନ୍ତି ଏବଂ ସମସ୍ତ ବଳବାନଙ୍କଠାରୁ ବଳବାନ୍, ସେହି ଈଶ୍ୱରଙ୍କ ନାମ ‘ବାୟୁ’ ।
ତୈଜସ — ‘ତିଜ ନିଶାନେ’ ଧାତୁରୁ ‘ତେଜଃ’ ଏବଂ ତହିଁରେ ତଦ୍ଧିତ ପ୍ରତ୍ୟୟ କଲେ ‘ତୈଜସ’ ଶବ୍ଦ ଉତ୍ପନ୍ନ ହୁଏ । ଯେହେତୁ ଈଶ୍ୱର ସ୍ୱୟଂପ୍ରକାଶ ଓ ସୂର୍ଯ୍ୟାଦି ତେଜସ୍ୱୀ ଲୋକର ପ୍ରକାଶକ, ଏଣୁ ଈଶ୍ୱରଙ୍କ ନାମ ‘ତୈଜସ’ ।
‘ମ’କାରରେ ଗୃହୀତ ନାମର ଅର୍ଥ—
ଈଶ୍ୱର — ‘ଈଶ ଐଶ୍ୱର‌୍ୟେ’ ଧାତୁରୁ ‘ଈଶ୍ୱର’ ଶବ୍ଦ ସିଦ୍ଧ ହୁଏ । ‘ୟ  ଈଷ୍ଟେ  ସର୍ବୈଶ୍ୱର‌୍ୟବାନ୍  ବର୍ତ୍ତତେ  ସ  ଈଶ୍ୱରଃ’ — ଯାହାଙ୍କର ସତ୍ୟ ବିଚାର-ଶୀଳ-ଜ୍ଞାନ ଓ ଅନନ୍ତ ଐଶ୍ୱର୍ଯ୍ୟ ଅଛି, ଏଣୁ ସେହି ପରମାତ୍ମାଙ୍କ ନାମ ‘ଈଶ୍ୱର’ ।
ଆଦିତ୍ୟ —‘ଦୋ  ଅବଖଣ୍ଡନେ’ ଧାତୁରୁ ‘ଅଦିତି’ ଏବଂ ଏଥିରେ ତଦ୍ଧିତ ପ୍ରତ୍ୟୟ ଯୋଗରେ ‘ଆଦିତ୍ୟ’ ଶବ୍ଦ ନିଷ୍ପନ୍ନ । ‘ଅବଖଣ୍ଡନଂ  ନାମ  ବିନାଶଃ’ ।  ‘ନ  ବିଦ୍ୟତେ  ବିନାଶୋ  ୟସ୍ୟ  ସୋଽୟମଦିତିଃ, ଅଦିତିରେବ  ଆଦିତ୍ୟଃ’ — ଯାହାଙ୍କର କେବେ ବିନାଶ ନାହିଁ, ତାହାକୁ ଅଦିତି କୁହାଯାଏ  । ଅଦିତି ହିଁ ଆଦିତ୍ୟ  । ଅତଃ ବିନାଶ ରହିତ ସେହି ଈଶ୍ୱରଙ୍କ ନାମ ‘ଆଦିତ୍ୟ’ ।
ପ୍ରାଜ୍ଞ — ‘ପ୍ର’ ଉପସର୍ଗ ପୂର୍ବକ ‘ଜ୍ଞା  ଅବବୋଧନେ’ ଧାତୁରୁ ‘ପ୍ରଜ୍ଞ’ ଏବଂ ଏଥିରେ ତଦ୍ଧିତ ପ୍ରତ୍ୟୟ କଲେ ‘ପ୍ରାଜ୍ଞ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ପ୍ରକୃଷ୍ଟତୟା  ଚରାଽଚରସ୍ୟ  ଜଗତୋ  ବ୍ୟବହାରଂ  ଜାନାତି  ସ  ପ୍ରଜ୍ଞଃ, ପ୍ରଜ୍ଞ  ଏବ ପ୍ରାଜ୍ଞଃ’ — ଯିଏ ଅଭ୍ରାନ୍ତ ଜ୍ଞାନଯୁକ୍ତ, ସକଳ ଚରାଚର ଜଗତର ବ୍ୟବହାରକୁ ଯଥାଯଥ ଭାବେ ଜାଣନ୍ତି, ସେହି ଈଶ୍ୱର ପ୍ରଜ୍ଞ ଅଟନ୍ତି  । ପ୍ରଜ୍ଞଙ୍କୁ ହିଁ ପ୍ରାଜ୍ଞ କୁହାଯାଏ । ସେହି ଈଶ୍ୱରଙ୍କ ନାମ ‘ପ୍ରାଜ୍ଞ’ ।
ଯେପରି ‘ଅ’ ଆଦି ଏକ-ଏକ ଅକ୍ଷରର ତିନୋଟି ଲେଖାଏଁ ଅର୍ଥ ଏଠାରେ ବ୍ୟାଖ୍ୟାନ କରାଗଲା, ସେପରି ହିଁ ଅନ୍ୟ ନାମର ଅର୍ଥ ବି ଓଂକାରରୁ ଜଣାଯାଏ ।
(ଶନ୍ନୋ  ମିତ୍ରଃ  ଶଂ  ବରୁଣଃ..) ଏହି ମନ୍ତ୍ରରେ ଯେଉଁ ମିତ୍ରାଦି ନାମ ରହିଛି, ସେସବୁ ବି ପରମେଶ୍ୱରଙ୍କ ନାମ ବିଶେଷ । କାରଣ ସ୍ତୁତି, ପ୍ରାର୍ଥନା, ଉପାସନା ଶ୍ରେଷ୍ଠଙ୍କର ହିଁ କରାଯାଏ । ଶ୍ରେଷ୍ଠ ତାଙ୍କୁ କୁହାଯାଏ, ଯିଏକି ଗୁଣ, କର୍ମ, ସ୍ୱଭାବ ଓ ସତ୍ୟ ବ୍ୟବହାରରେ ସମସ୍ତଙ୍କଠୁଁ ଅଧିକ । ସେ ସକଳ ଶ୍ରେଷ୍ଠଙ୍କ ମଧ୍ୟରେ ଯିଏ ସର୍ବଶ୍ରେଷ୍ଠ ତାଙ୍କୁ ପରମେଶ୍ୱର କୁହାଯାଏ; ଯାହାଙ୍କ ତୁଲ୍ୟ କି ଅତୀତରେ କେହି ନଥିଲେ, ବର୍ତ୍ତମାନ କେହି ନାହାନ୍ତି ଓ ଭବିଷ୍ୟତରେ ବି କେହି ହୋଇପାରିବେ ନାହିଁ । ଯେତେବେଳେ ତାଙ୍କ ସମକକ୍ଷ ହିଁ କେହି ନାହାନ୍ତି, ସେତେବେଳେ ତାଙ୍କଠୁ ଅଧିକ କେମିତି କିଏ ହୋଇପାରିବ? ପରମେଶ୍ୱରଙ୍କ ଯେପରି ସତ୍ୟ, ନ୍ୟାୟ, ଦୟା, ସର୍ବଶକ୍ତିମତ୍ତା ଓ ସର୍ବଜ୍ଞତା ଆଦି ଅନନ୍ତ ଗୁଣ ଅଛି, ଅନ୍ୟ କୌଣସି ଜଡ଼ ପଦାର୍ଥ କି ଜୀବର ସେପରି ନାହିଁ । ଯେଉଁ ପଦାର୍ଥ ସତ୍ୟ, ତା’ର ଗୁଣ-କର୍ମ-ସ୍ୱଭାବ ବି ସତ୍ୟ ହୋଇଥାଏ । ଏଣୁ ପରମେଶ୍ୱରଙ୍କ ହିଁ ସ୍ତୁତି, ପ୍ରାର୍ଥନା ଓ ଉପାସନା କରିବା ସମସ୍ତଙ୍କ କର୍ତ୍ତବ୍ୟ, ଅନ୍ୟ କାହାରି ନୁହେଁ । ଯେହେତୁ ବ୍ରହ୍ମା, ବିଷ୍ଣୁ, ମହାଦେବ ଆଦି ପୂର୍ବଜ ମହାତ୍ମା ବିଦ୍ୱାନ୍ଗଣ, ଦୈତ୍ୟ-ଦାନବାଦି ନିକୃଷ୍ଟ ବ୍ୟକ୍ତି ଏବଂ ଅନ୍ୟ ସାଧାରଣ ମନୁଷ୍ୟଗଣ ବି ପରମେଶ୍ୱରଙ୍କୁ ହିଁ ବିଶ୍ୱାସ କରି ତାଙ୍କରି ସ୍ତୁତି, ପ୍ରାର୍ଥନା ଓ ଉପାସନା କରିଛନ୍ତି, ତାଙ୍କଠୁ ଭିନ୍ନଙ୍କର କରିନାହାନ୍ତି; ତେଣୁ ଆମେ ମଧ୍ୟ ସେହି ଏକ ଈଶ୍ୱରଙ୍କୁ ହିଁ ଉପାସନାଦି କରିବା ଉଚିତ । ଏହାର ବିସ୍ତୃତ ବିବେଚନା ‘ଉପାସନା’ ଓ ‘ମୁକ୍ତି’ ବିଷୟରେ କରାଯିବ  ।
ପ୍ରଶ୍ନ — ‘ମିତ୍ର’ ଶବ୍ଦ ସଖା ନିମନ୍ତେ ଏବଂ ‘ଇନ୍ଦ୍ର’ ଆଦି ଶବ୍ଦ ଦେବତାମାନଙ୍କ ପାଇଁ ମୁଖ୍ୟତଃ ବ୍ୟବହାର ହେଉଥିବା ସଂସାରରେ ଦେଖାଯାଏ । ଏଣୁ ଏସବୁ ଶବ୍ଦରେ ସେହି ବହୁଳ ଭାବେ ଗୃହୀତ ଅର୍ଥକୁ ଗ୍ରହଣ କରାଯିବା ଉଚିତ ।
ଉତ୍ତର — ଏଠାରେ ଏସବୁ ଶବ୍ଦରେ ସେମାନଙ୍କୁ ଗ୍ରହଣ କରିବା ଯୁକ୍ତିଯୁକ୍ତ ନୁହେଁ । କାରଣ ଜଣେ ବ୍ୟକ୍ତି କାହାର ମିତ୍ର ତ ଆଉ କାହାର ଶତ୍ରୁ ଏବଂ ଅନ୍ୟ କାହା ପ୍ରତି ଉଦାସୀନ ଅର୍ଥାତ୍ ନା ମିତ୍ର ନା ଶତ୍ରୁ ହୋଇଥିବା ଦେଖିବାକୁ ମିଳେ । ଏଣୁ ‘ମିତ୍ର’ ଶବ୍ଦରେ ମୁଖ୍ୟ ଅର୍ଥରେ ସାଂସାରିକ ସଖା ଆଦିଙ୍କୁ ଗ୍ରହଣ କରାଯାଇପାରିବ ନାହିଁ । କେବଳ ପରମେଶ୍ୱର ହିଁ ସକଳ ଜଗତର ନିଶ୍ଚିତ ମିତ୍ର, ସେ କାହାରି ଶତ୍ରୁ ନୁହନ୍ତି କି କାହା ପ୍ରତି ଉଦାସୀନ ନୁହନ୍ତି । ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ବି ଏଭଳି କଦାପି ହୋଇପାରିବ ନାହିଁ । ଏଣୁ ଏଠାରେ ‘ମିତ୍ର’ ଶବ୍ଦରେ ମୁଖ୍ୟ ରୂପେ ପରମାତ୍ମାଙ୍କୁ ହିଁ ଗ୍ରହଣ କରାଯାଏ । ହଁ, ଗୌଣ ଅର୍ଥରେ ମିତ୍ରାଦି ଶବ୍ଦ ସାଂସାରିକ ସଖା ଆଦିଙ୍କୁ ବୁଝାଇଥାଏ । 
‘ଞିମିଦା ସ୍ନେହନେ’ ଧାତୁରେ ଔଣାଦିକ ‘କ୍ତ୍ର’ ପ୍ରତ୍ୟୟ ଯୋଗରେ ମିତ୍ର ଶବ୍ଦ ସିଦ୍ଧ ହୁଏ । ‘ମେଦ୍ୟତି ମେଦତେ, ସ୍ନିହ୍ୟତି  ସ୍ନିହ୍ୟତେ  ବା  ସ  ମିତ୍ରଃ’ — ଯିଏ ସମସ୍ତଙ୍କୁ ସ୍ନେହ କରନ୍ତି ଏବଂ ସମସ୍ତଙ୍କ ସ୍ନେହର ଯୋଗ୍ୟ, ସେହି ପରମେଶ୍ୱର ସମସ୍ତଙ୍କ ସଚ୍ଚା ‘ମିତ୍ର’ ଅଟନ୍ତି । ଏଣୁ ସେ ପରମେଶ୍ୱରଙ୍କ ନାମ ‘ମିତ୍ର’ ।
    ‘ବୃଞ୍ ବରଣେ’ ଓ ‘ବର ଈପ୍ସାୟାମ୍’ ଏ ଦୁଇ ଧାତୁରେ ଉଣାଦି ‘ଉନନ୍’ ପ୍ରତ୍ୟୟ କଲେ ‘ବରୁଣ’ ଶବ୍ଦ ତିଆରି ହୁଏ । ‘ୟଃ  ସର୍ବାନ୍  ଶିଷ୍ଟାନ୍  ମୁମୁକ୍ଷୂନ୍  ଧର୍ମାତ୍ମନୋ  ବୃଣୋତି, ଅଥବା  ୟଃ  ଶିଷ୍ଟୈ÷ର୍ମୁମୁକ୍ଷୁଭିର୍ଧର୍ମାତ୍ମଭି-ର୍ବ୍ରିୟତେ  ବର‌୍ୟ୍ୟତେ  ବା  ସ  ବରୁଣଃ  ପରମେଶ୍ୱରଃ’ — ଯିଏ ଆପ୍ତ, ଯୋଗୀ, ବିଦ୍ୱାନ୍, ମୁକ୍ତିକାମୀ, ମୁକ୍ତ ଓ ଧର୍ମାତ୍ମାଙ୍କୁ ବରଣ ଅର୍ଥାତ୍  ସ୍ୱୀକାର କରନ୍ତି; ଅଥବା ଯିଏ ଶିଷ୍ଟ, ମୁମୁକ୍ଷୁ, ମୁକ୍ତ ଓ ଧର୍ମାତ୍ମାଙ୍କ ଦ୍ୱାରା ବରଣୀୟ ଅଟନ୍ତି, ସେ ‘ବରୁଣ’ ନାମଧାରୀ ଈଶ୍ୱର । ଅଥବା ‘ବରୁଣୋ  ନାମ  ବରଃ  ଶ୍ରେଷ୍ଠଃ’— ଯେହେତୁ ପରମେଶ୍ୱର ସର୍ବଶ୍ରେଷ୍ଠ, ତେଣୁ ତାଙ୍କ ନାମ ‘ବରୁଣ’ ।
  ‘ଋ ଗତିପ୍ରାପଣୟୋଃ’ ଧାତୁରେ ‘ୟତ୍’ ପ୍ରତ୍ୟୟ ଯୋଗ କଲେ ‘ଅର‌୍ୟ୍ୟ’ ଶବ୍ଦ ସିଦ୍ଧ ହୁଏ । ‘ଅର‌୍ୟ୍ୟ’ ପୂର୍ବକ ‘ମାଙ୍ ମାନେ’ ଧାତୁରେ ‘କନିନ୍’ ପ୍ରତ୍ୟୟ ଯୋଗ ହୋଇ ‘ଅର‌୍ୟ୍ୟମା’ ଶବ୍ଦ ଗଠିତ ହୋଇଛି । ‘ୟୋଽର‌୍ୟ୍ୟାନ୍  ସ୍ୱାମିନୋ ନ୍ୟାୟାଧୀଶାନ୍  ମିମୀତେ  ମାନ୍ୟାନ୍  କରୋତି  ସୋଽର‌୍ୟ୍ୟମା’ — ଯିଏ ସତ୍ୟ-ନ୍ୟାୟ ଆଚରଣକାରୀ ମନୁଷ୍ୟମାନଙ୍କୁ ମାନ-ସମ୍ମାନ ପ୍ରଦାନ କରନ୍ତି ଏବଂ ପାପ ଓ ପୁଣ୍ୟ କର୍ତ୍ତାଙ୍କୁ ନିୟମପୂର୍ବକ ଯଥାଯଥ ଭାବେ ପାପ ଓ ପୁଣ୍ୟର ଫଳ ପ୍ରଦାନ କରନ୍ତି, ସେ ଈଶ୍ୱରଙ୍କ ନାମ ‘ଅର୍ଯ୍ୟମା’ ।
  ‘ଇଦି ପରମୈଶ୍ୱର‌୍ୟେ’ ଧାତୁରେ ‘ରନ୍’ ପ୍ରତ୍ୟୟ ଯୋଗ କଲେ ‘ଇନ୍ଦ୍ର’ ଶବ୍ଦ ଉତ୍ପନ୍ନ ହୁଏ । ‘ୟ  ଇନ୍ଦତି ପରମୈଶ୍ୱର‌୍ୟବାନ୍  ଭବତି  ସ  ଇନ୍ଦ୍ରଃ  ପରମେଶ୍ୱରଃ’ — ଯିଏ ଅଖିଳ ଐଶ୍ୱର୍ଯ୍ୟସମ୍ପନ୍ନ, ସେ ‘ଇନ୍ଦ୍ର’ । ଈଶ୍ୱର ସକଳ ଐଶ୍ୱର୍ଯ୍ୟବାନ୍ ହୋଇଥିବାରୁ ତାଙ୍କ ନାମ ‘ଇନ୍ଦ୍ର’ ।
  ‘ବୃହତ୍’ ଶବ୍ଦ ପୂର୍ବକ ‘ପା ରକ୍ଷଣେ’ ଧାତୁରେ ‘ଡତି’ ପ୍ରତ୍ୟୟ କଲେ, ‘ବୃହତ୍’ର ‘ତ’କାର ଲୋପ ଓ ‘ସୁଟ୍’ ଆଗମ ହୋଇ ‘ବୃହସ୍ପତି’ ଶବ୍ଦ ସିଦ୍ଧ ହୁଏ । ‘ୟୋ  ବୃହତାମାକାଶାଦୀନାଂ  ପତିଃ  ସ୍ୱାମୀ  ପାଲୟିତା  ସ  ବୃହସ୍ପତିଃ’— ଯିଏ ବୃହତ୍ରୁ ବି ବୃହତ୍, ସର୍ବବୃହତ୍ ଏବଂ ବିରାଟ ଆକାଶାଦି ବ୍ରହ୍ମାଣ୍ଡଗୁଡ଼ିକର ସ୍ୱାମୀ, ସେ ଈଶ୍ୱରଙ୍କ ନାମ ‘ବୃହସ୍ପତି’ । 
    ‘ବିଷ୍ଲୃ  ବ୍ୟାପ୍ତୌ’ ଧାତୁରେ ‘ନୁ’ ପ୍ରତ୍ୟୟ ଯୁକ୍ତ ହୋଇ ‘ବିଷ୍ଣୁ’ ଶବ୍ଦ ନିଷ୍ପନ୍ନ । ‘ବେବେଷ୍ଟି  ବ୍ୟାପ୍ନୋତି ଚରାଽଚରଂ  ଜଗତ୍  ସ  ବିଷ୍ଣୁଃ ପରମାତ୍ମା’ — ଚର ଓ ଅଚର ରୂପକ ଜଗତରେ ବ୍ୟାପକ ହୋଇଥିବାରୁ ପରମାତ୍ମାଙ୍କ ନାମ ‘ବିଷ୍ଣୁ’ । 
‘ଉରୁର୍ମହାନ୍  କ୍ରମଃ  ପରାକ୍ରମୋ  ୟସ୍ୟ  ସ  ଉରୁକ୍ରମଃ’— ଅନନ୍ତ ପରାକ୍ରମଯୁକ୍ତ ହୋଇଥିବା ହେତୁ ପରମାତ୍ମାଙ୍କ ନାମ ‘ଉରୁକ୍ରମ’ ।
  ଯେଉଁ ପରମାତ୍ମା (ଉରୁକ୍ରମଃ) ମହାପରାକ୍ରମଯୁକ୍ତ, (ମିତ୍ରଃ) ସମସ୍ତଙ୍କ ସୁହୃଦ୍, ଅବିରୋଧୀ ଅଟନ୍ତି, ସେ (ଶମ୍) ସୁଖକାରକ, ସେ (ବରୁଣଃ) ସର୍ବୋତ୍ତମ, ସେ (ଶମ୍) ସୁଖସ୍ୱରୂପ, ସେ (ଅର‌୍ୟମା ଶମ୍) ସୁଖପ୍ରଚାରକ, ସେ (ଇନ୍ଦ୍ରଃ ଶମ୍) ସକଳ ଐଶ୍ୱର୍ଯ୍ୟଦାୟକ, ସେ (ବୃହସ୍ପତିଃ) ସମସ୍ତଙ୍କ ଅଧିଷ୍ଠାତା, ବିଦ୍ୟାପ୍ରଦ ଏବଂ ଯିଏ (ବିଷ୍ଣୁଃ)  ସବୁରେ ବ୍ୟାପକ ପରମେଶ୍ୱର, ସେ (ନଃ) ଆମର (ଶମ୍) କଲ୍ୟାଣକାରୀ (ଭବତୁ) ହୁଅନ୍ତୁ ।
(ବାୟୋ  ତେ  ବ୍ରହ୍ମଣେ  ନମୋଽସ୍ତୁ) ‘ବୃହ ବୃହି ବୃଦେ୍ଧø’ ଏ ଧାତୁରୁ ‘ବ୍ରହ୍ମ’ ଶବ୍ଦ ନିଷ୍ପନ୍ନ । ଯିଏ ସର୍ବୋପରି ବିରାଜମାନ, ସର୍ବବୃହତ୍, ଅନନ୍ତ ବଳଯୁକ୍ତ ପରମାତ୍ମା, ସେହି ବ୍ରହ୍ମଙ୍କୁ ଆମେ ନମସ୍କାର କରୁଅଛୁ । ହେ ପରମେଶ୍ୱର! (ତ୍ୱମେବ  ପ୍ରତ୍ୟକ୍ଷଂ  ବ୍ରହ୍ମାସି) ଆପଣ ହିଁ ଅନ୍ତର୍ଯ୍ୟାମୀରୂପରେ ପ୍ରତ୍ୟକ୍ଷ ବ୍ରହ୍ମ ଅଟନ୍ତି । (ତ୍ୱାମେବ  ପ୍ରତ୍ୟକ୍ଷଂ  ବ୍ରହ୍ମ ବଦିଷ୍ୟାମି) ମୁଁ ଆପଣଙ୍କୁ ହିଁ ପ୍ରତ୍ୟକ୍ଷ ବ୍ରହ୍ମ ବୋଲି କହିବି, କାରଣ ଆପଣ ସବୁ ସ୍ଥାନରେ ବ୍ୟାପ୍ତ ହୋଇ ସମସ୍ତଙ୍କୁ ସଦା-ସର୍ବଦା ପ୍ରାପ୍ତ ହୋଇଅଛନ୍ତି, (ଋତଂ  ବଦିଷ୍ୟାମି) ଆପଣଙ୍କ ଯେଉଁ ବେଦୋକ୍ତ ଯଥାର୍ଥ ଆଜ୍ଞା ଅଛି, ତାକୁ ମୁଁ ସମସ୍ତଙ୍କୁ ଉପଦେଶ ଦେବି ଓ ଆଚରଣ ବି କରିବି, (ସତ୍ୟଂ  ବଦିଷ୍ୟାମି) ସତ୍ୟ କହିବି, ସତ୍ୟ ମାନିବି ଓ ସତ୍ୟ ଆଚରଣ ହିଁ କରିବି । (ତନ୍ମାମବତୁ) ସେହି ଆପଣ ମୋତେ ରକ୍ଷା କରନ୍ତୁ । (ତଦ୍ବକ୍ତାରମବତୁ) ସେହି ଆପଣ ମୋତେ, ଆପ୍ତ ସତ୍ୟବକ୍ତାଙ୍କୁ, ରକ୍ଷା କରନ୍ତୁ ଯଦ୍ଦ୍ୱାରାକି ମୋ ବୁଦ୍ଧି ଆପଣଙ୍କ ଆଜ୍ଞାରେ ସ୍ଥିର ହୋଇ ରହୁ, କେବେ ବି ବିରୁଦ୍ଧ ନ ହେଉ । କାରଣ ଯାହା ଆପଣଙ୍କ ଆଜ୍ଞା, ତାହା ହିଁ ଧର୍ମ ଓ ଯାହା ଆପଣଙ୍କ ଆଜ୍ଞାର ବିରୁଦ୍ଧ ତାହା ଅଧର୍ମ । (ଅବତୁ  ମାମବତୁ  ବକ୍ତାରମ୍) ଏହି ଦ୍ୱିତୀୟ ଥର ପାଠ ପ୍ରୟୋଜନର ଆଧିକ୍ୟ ଓ ଦୃଢ଼ତା ନିମନ୍ତେ । ଯଥା— ‘କଶ୍ଚିତ୍  କଞ୍ôଚତ୍  ପ୍ରତି  ବଦତି ତ୍ୱଂ  ଗ୍ରାମଂ  ଗଚ୍ଛ, ଗଚ୍ଛ’ । ଏଠାରେ କ୍ରିୟାର ଦୁଇ ଥର ଉଚ୍ଚାରଣ ‘ଗଚ୍ଛ ଗଚ୍ଛ’ ଦ୍ୱାରା ତୁମେ ‘ଅତି ଶୀଘ୍ର’ ଗ୍ରାମକୁ ଯାଅ, ଏପରି ଭାବନା ପ୍ରକଟିତ ହୁଏ । ଏପରି ହିଁ ଏହି ମନ୍ତ୍ରାଂଶରେ ଯେ ‘ଆପଣ ମୋତେ ନିଶ୍ଚିତ ରକ୍ଷା କରନ୍ତୁ’ ଅର୍ଥାତ୍ ‘ମୁଁ ଧର୍ମରେ ଅବିଚଳିତ, ସୁଦୃଢ଼ ହୋଇ ରହେ ଓ ଅଧର୍ମକୁ ସଦା ଘୃଣା କରେ, ଏପରି କୃପା ମୋ ଉପରେ କରନ୍ତୁ ।’ ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି । 
(ଓ୩ମ୍  ଶାନ୍ତିଃ  ଶାନ୍ତିଃ  ଶାନ୍ତିଃ) ଏଠାରେ ତିନି ଥର ଶାନ୍ତିପାଠ କରିବାର ଅଭିପ୍ରାୟ ହେଲା ଯେ ଏ ସଂସାରରେ ତ୍ରିବିଧ ତାପ ଅର୍ଥାତ୍ ତିନି ପ୍ରକାର ଦୁଃଖ ଅଛି— ଏକ ‘ଆଧ୍ୟାତ୍ମିକ’, ଯାହାକି ଆତ୍ମାରେ ଅବିଦ୍ୟା, ରାଗ, ଦ୍ୱେଷ, ମୂର୍ଖତା ଆଦି ଏବଂ ଶରୀରରେ ଜ୍ୱର, ପୀଡ଼ା ଆଦି ଯୋଗୁଁ ହୋଇଥାଏ । ଦ୍ୱିତୀୟଟି ‘ଆଧିଭୌତିକ’ ଯାହାକି ଶତ୍ରୁ, ବ୍ୟାଘ୍ର ଓ ସର୍ପ ଆଦିଙ୍କଠାରୁ ପ୍ରାପ୍ତ ହୁଏ । ତୃତୀୟଟି ‘ଆଧିଦୈବିକ’ ଅର୍ଥାତ୍ ଅତିବୃଷ୍ଟି, ଅନାବୃଷ୍ଟି, ଅତିଶୀତ, ଅତିଉଷ୍ଣ ଏବଂ ମନ ଓ ଇନ୍ଦ୍ରିୟାଦିର ଅଶାନ୍ତି ଯୋଗୁଁ ଯେଉଁ ଦୁଃଖ ପ୍ରାପ୍ତ ହୋଇଥାଏ । ଏ ତିନି ପ୍ରକାର କ୍ଳେଶରୁ ଆପଣ ଆମକୁ ଦୂରେଇ ରଖି କଲ୍ୟାଣକାରକ କର୍ମରେ ସର୍ବଦା ପ୍ରବୃତ୍ତ ରଖନ୍ତୁ । କାରଣ ଆପଣ ହିଁ କଲ୍ୟାଣସ୍ୱରୂପ, ସମଗ୍ର ସଂସାରର କଲ୍ୟାଣକାରୀ ଓ ଧାର୍ମିକ ମୁମୁକ୍ଷୁଙ୍କୁ କଲ୍ୟାଣଦାତା ଅଟନ୍ତି । ଅତଏବ ଆପଣ ସ୍ୱକୀୟ କରୁଣାରେ ସମସ୍ତ ଜୀବଙ୍କ ହୃଦୟରେ ସ୍ୱୟଂ ପ୍ରକାଶିତ ହୁଅନ୍ତୁ ଯଦ୍ଦ୍ୱାରା କି ସକଳ ଜୀବ ଅଧର୍ମ ତ୍ୟାଗ ଓ ଧର୍ମର ଆଚରଣ କରି ପରମାନନ୍ଦ ପ୍ରାପ୍ତ କରନ୍ତୁ ଓ ଦୁଃଖରୁ ଦୂରରେ ରହନ୍ତୁ ।
‘ସୂର‌୍ୟ୍ୟଽ  ଆତ୍ମା  ଜଗତସ୍ତସ୍ଥୁଷଶ୍ଚ’ । (ୟଜୁଃ. ୭:୪୨) — ଯଜୁର୍ବେଦର ଏହି ମନ୍ତ୍ରାଂଶ ଅନୁସାରେ ଯେଉଁ ‘ଜଗତ୍’ ଅର୍ଥାତ୍ ପ୍ରାଣୀ, ଚେତନ ଓ ଜଂଗମ ଅର୍ଥାତ୍ ଚର, ଗତି କରୁଥିବା ସତ୍ତା ଏବଂ ‘ତସ୍ଥୁଷଃ’ ଅର୍ଥାତ୍ ଅପ୍ରାଣୀ, ସ୍ଥାବର, ଜଡ଼ ଅର୍ଥାତ୍ ପୃଥିବୀ ଆଦି ରହିଛି, ସେସବୁର ଆତ୍ମା ହୋଇଥିବାରୁ ତଥା ସ୍ୱପ୍ରକାଶରୂପ ହୋଇ ସମସ୍ତଙ୍କୁ ପ୍ରକାଶିତ କରୁଥିବାରୁ ପରମେଶ୍ୱରଙ୍କ ନାମ ‘ସୂର୍ଯ୍ୟ’ ।
‘ଅତ  ସାତତ୍ୟଗମନେ’ ଧାତୁରୁ ‘ଆତ୍ମା’ ଶବ୍ଦ ନିଷ୍ପନ୍ନ । ‘ୟୋଽତତି  ବ୍ୟାପ୍ନୋତି  ସ  ଆତ୍ମା’ — ଯିଏ  ଜୀବାଦି ସକଳ ଚରାଚର ଜଗତରେ ନିରନ୍ତର ବ୍ୟାପକ ହୋଇ ଅଛନ୍ତି, ସେ ‘ଆତ୍ମା’ । ‘ପରଶ୍ଚାସାବାତ୍ମା  ଚ,  ୟ  ଆତ୍ମଭ୍ୟୋ ଜୀବେଭ୍ୟଃ  ସୂକ୍ଷେ୍ମଭ୍ୟଃ  ପରୋଽତିସୂକ୍ଷ୍ମଃ  ସ  ପରମାତ୍ମା’ — ଯିଏ ସମସ୍ତ ଜୀବ ଆଦିଙ୍କଠାରୁ ଉକ୍ରୃଷ୍ଟ ଏବଂ ଜୀବ, ପ୍ରକୃତି ଓ ଆକାଶ ଠାରୁ ବି ସୂକ୍ଷ୍ମତମ ତଥା ସକଳ ଜୀବଙ୍କ ଅନ୍ତର୍ଯ୍ୟାମୀ ଆତ୍ମା, ଅତଏବ ସେହି ପରମେଶ୍ୱରଙ୍କ ନାମ ‘ପରମାତ୍ମା’ ।
 ସାମର୍ଥ୍ୟବାନଙ୍କ ନାମ ‘ଈଶ୍ୱର’ । ‘ୟ  ଈଶ୍ୱରେଷୁ  ସମର୍ଥେଷୁ  ପରମଃ  ଶ୍ରେଷ୍ଠଃ  ସ  ପରମେଶ୍ୱରଃ’ — ଯିଏ ଈଶ୍ୱରଙ୍କ ଅର୍ଥାତ୍ ସାମର୍ଥ୍ୟବାନଙ୍କ ମଧ୍ୟରେ ପରମ ସମର୍ଥ, ଯାହାଙ୍କ ତୁଲ୍ୟ ଅନ୍ୟ କେହି ବି ନାହିଁ, ତାଙ୍କ ନାମ ‘ପରମେଶ୍ୱର’ ।
‘ଷୁଞ୍  ଅଭିଷବେ’, ‘ଷୂଙ୍  ପ୍ରାଣିଗର୍ଭବିମୋଚନେ’ ଏ ଦୁଇ ଧାତୁରୁ ‘ସବିତା’ ଶବ୍ଦ ସିଦ୍ଧ ହୁଏ । ‘ଅଭିଷବଃ ପ୍ରାଣିଗର୍ଭବିମୋଚନଂ  ଚୋତ୍ପାଦନମ୍ । ୟଶ୍ଚରାଚରଂ  ଜଗତ୍  ସୁନୋତି  ସୂତେ  ବା-ଉତ୍ପାଦୟତି  ସ  ସବିତା ପରମେଶ୍ୱରଃ’ — ସକଳ ଚରାଚର ଜଗତକୁ ଉତ୍ପନ୍ନ କରୁଥିବାରୁ ପରମେଶ୍ୱରଙ୍କ ନାମ ‘ସବିତା’ ।
 ‘ଦିବୁ  କ୍ରୀଡ଼ା-ବିଜିଗୀଷା-ବ୍ୟବହାର-ଦ୍ୟୁତି-ସ୍ତୁତି-ମୋଦ-ମଦ-ସ୍ୱପ୍ନ-କାନ୍ତି-ଗତିଷୁ’ ଧାତୁରୁ ‘ଦେବ’ ଶବ୍ଦ ଉତ୍ପନ୍ନ ହୁଏ । ଯିଏ (କ୍ରୀଡ଼ା) ସ୍ୱୟଂ ଶୁଦ୍ଧ ଜଗତ(ପ୍ରକୃତି)କୁ କ୍ରୀଡ଼ା କରାନ୍ତି, (ବିଜିଗୀଷା) ଧାର୍ମିକଙ୍କୁ ଜୟଯୁକ୍ତ କରିବା ଇଚ୍ଛାଯୁକ୍ତ, (ବ୍ୟବହାର) ସମସ୍ତଙ୍କୁ କର୍ମର ସାଧନ-ଉପସାଧନର ଦାତା, (ଦ୍ୟୁତି) ସ୍ୱୟଂ ପ୍ରକାଶସ୍ୱରୂପ, ସର୍ବପ୍ରକାଶକ, (ସ୍ତୁତି) ପ୍ରଶଂସନୀୟ, (ମୋଦ) ସ୍ୱୟଂ ଆନନ୍ଦସ୍ୱରୂପ ଓ ଅନ୍ୟମାନଙ୍କୁ ଆନନ୍ଦଦାତା, (ମଦ)ମଦୋନ୍ମତ୍ତଙ୍କୁ ତାଡ଼ନକାରୀ, (ସ୍ୱପ୍ନ) ସମସ୍ତଙ୍କ ଶୟନ ନିମିତ୍ତ ରାତ୍ରି ଓ ପ୍ରଳୟ ସମ୍ପାଦନକାରୀ, (କାନ୍ତି) କାମନା ଯୋଗ୍ୟ ଏବଂ (ଗତି) ଜ୍ଞାନସ୍ୱରୂପ, ସେହି ପରମେଶ୍ୱରଙ୍କ ନାମ ‘ଦେବ’ । 
ଅଥବା ‘ୟୋ  ଦୀବ୍ୟତି  କ୍ରୀଡ଼ତି  ସ  ଦେବଃ’ — ଯିଏ  ସ୍ୱ ସ୍ୱରୂପରେ ସ୍ୱୟଂ ଆନନ୍ଦରେ କ୍ରୀଡ଼ା କରନ୍ତି ବା ଅନ୍ୟର ବିନା ସହାୟତାରେ କ୍ରୀଡ଼ାବତ୍ ସହଜ ସ୍ୱଭାବରେ ସକଳ ଜଗତକୁ ନିର୍ମାଣ କରନ୍ତି କିମ୍ବା ଯିଏ ସମସ୍ତ କ୍ରୀଡ଼ାର ଆଧାର, ସେ ଈଶ୍ୱର ‘ଦେବ’ ଅଟନ୍ତି । ‘ୟୋ  ବିଜିଗୀଷତେ  ସ  ଦେବଃ’— ଯିଏ ସମସ୍ତଙ୍କୁ ଜୟ କରନ୍ତି, କିନ୍ତୁ ସ୍ୱୟଂ ଅଜେୟ ଅଟନ୍ତି ଅର୍ଥାତ୍ ତାଙ୍କୁ କେହି ବି ଜିତି ପାରନ୍ତି ନାହିଁ ସେ ଈଶ୍ୱର ‘ଦେବ’ ଅଟନ୍ତି । ‘ୟୋ  ବ୍ୟବହାରୟତି  ସ  ଦେବଃ’ — ଯିଏ ନ୍ୟାୟ ଓ ଅନ୍ୟାୟ ରୂପକ ବ୍ୟବହାରର ଜ୍ଞାତା ଓ ଉପଦେଷ୍ଟା, ସେ ଈଶ୍ୱର ‘ଦେବ’ । ‘ୟଶ୍ଚରାଚରଂ  ଜଗତ୍  ଦ୍ୟୋତୟତି  ସ  ଦେବଃ’ — ଯିଏ ସମଗ୍ର ଚରାଚର ଜଗତକୁ ପ୍ରକାଶିତ କରନ୍ତି, ସେ ‘ଦେବ’ । ‘ୟଃ  ସ୍ତୂୟତେ  ସ  ଦେବଃ’ — ଯିଏ ସମସ୍ତ ମନୁଷ୍ୟଙ୍କ ପ୍ରଶଂସାର ଯୋଗ୍ୟ, ନିନ୍ଦାର ଯୋଗ୍ୟ ନୁହନ୍ତି, ସେ ‘ଦେବ’ । ‘ୟୋ  ମୋଦୟତି  ସ  ଦେବଃ’ — ଯିଏ ସ୍ୱୟଂ ଅନନ୍ଦସ୍ୱରୂପ ଓ ଅନ୍ୟଙ୍କୁ ଆନନ୍ଦିତ କରନ୍ତି, ଯାହାଙ୍କ ଠାରେ ଦୁଃଖର ଲବଲେଶ ନାହିଁ, ସେ ‘ଦେବ’ । ‘ୟୋ  ମାଦ୍ୟତି  ସ  ଦେବଃ’ — ଯିଏ ସଦା ହର୍ଷିତ, ଶୋକରହିତ ଏବଂ ଅନ୍ୟମାନଙ୍କୁ ହର୍ଷିତ କରନ୍ତି ଓ ଦୁଃଖରୁ ଦୂରରେ ରଖନ୍ତି, ସେ ପରମେଶ୍ୱର ‘ଦେବ’ ଅଟନ୍ତି । ‘ୟଃ  ସ୍ୱାପୟତି  ସ ଦେବଃ’ — ଯିଏ ପ୍ରଳୟ ସମୟରେ ଅବ୍ୟକ୍ତରେ ସକଳ ଜୀବଙ୍କୁ ଶୁଆନ୍ତି, ସେ ‘ଦେବ’ । ‘ୟଃ  କାମୟତେ  କାମ୍ୟତେ ବା  ସ  ଦେବଃ’ — ଯାହାଙ୍କ ସକଳ କାମନା ସତ୍ୟ ଏବଂ ସମସ୍ତ ସଜ୍ଜନ ଯାହାଙ୍କୁ ପାଇବାର କାମନା କରନ୍ତି, ସେ ଈଶ୍ୱର ‘ଦେବ’ । ‘ୟୋ  ଗଚ୍ଛତି  ଗମ୍ୟତେ  ବା  ସ  ଦେବଃ’ — ଯିଏ ସର୍ବବ୍ୟାପକ ଓ ଜାଣିବାର ଯୋଗ୍ୟ, ଅତଏବ ସେହି ପରମେଶ୍ୱରଙ୍କ ନାମ ‘ଦେବ’ ଅଟେ । 
‘କୁବି  ଆଚ୍ଛାଦନେ’ ଧାତୁରୁ ‘କୁବେର’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ସର୍ବଂ  କୁମ୍ବତି  ସ୍ୱବ୍ୟାପ୍ତ୍ୟାଚ୍ଛାଦୟତି  ସ କୁବେରୋ  ଜଗଦୀଶ୍ୱରଃ’ — ଯିଏ ନିଜ ବିସ୍ତୃତିରେ ସମସ୍ତଙ୍କୁ ଆଚ୍ଛାଦିତ କରନ୍ତି, ତେଣୁ ସେ ପରମେଶ୍ୱରଙ୍କ ନାମ ‘କୁବେର’ ।
‘ପୃଥୁ  ବିସ୍ତାରେ’ ଧାତୁରୁ ‘ପୃଥିବୀ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ପର୍ଥତି  ସର୍ବଂ  ଜଗଦ୍ବିିସ୍ତୃଣାତି  ତସ୍ମାତ୍  ସ  ପୃଥିବୀ’ — ଯିଏ ସମଗ୍ର ବିସ୍ତୃତ ଜଗତକୁ ବିସ୍ତାର କରିଛନ୍ତି, ସେହି ଈଶ୍ୱରଙ୍କ ନାମ ‘ପୃଥିବୀ’ ।
‘ଜଲ  ଘାତନେ’ ଧାତୁରୁ ‘ଜଳ’ ଶବ୍ଦ ସିଦ୍ଧ ହୁଏ । ‘ଜଲତି  ଘାତୟତି  ଦୁଷ୍ଟାନ୍, ସଂଘାତୟତି-ଅବ୍ୟକ୍ତ-ପରମାଣ୍ୱାଦୀନ୍  ତଦ୍  ବ୍ରହ୍ମ  ଜଲମ୍’ — ଯିଏ ଦୁଷ୍ଟଙ୍କୁ ତାଡ଼ନ କରନ୍ତି ଏବଂ ଅବ୍ୟକ୍ତ ତଥା ପରମାଣୁଗୁଡ଼ିକୁ ଅନ୍ୟୋଽନ୍ୟ ସଂଯୋଗ ଓ ବିଯୋଗ କରନ୍ତି, ସେହି ପରମାତ୍ମା ‘ଜଳ’ ନାମଧାରୀ ଅଟନ୍ତି । ‘ୟଦ୍ୱା  ୟଜ୍ଜନୟତି  ଲାତି ସକଲଂ  ଜଗତ୍  ସୁଖଂ ବା ତଦ୍  ବ୍ରହ୍ମ  ଜଲମ୍’ — ଅଥବା ଯିଏ ସକଳ ଜଗତର ଜନକ ଓ ସମସ୍ତ ସୁଖ ପ୍ରଦାତା, ସେହି ପରମେଶ୍ୱରଙ୍କ ନାମ ‘ଜଳ’ ।
‘କାଶୃ  ଦୀପ୍ତୌ’ ଧାତୁରୁ ‘ଆକାଶ’ ଶବ୍ଦ ଉତ୍ପନ୍ନ ହୁଏ ।’ ୟଃ  ସର୍ବତଃ  ସର୍ବଂ  ଜଗତ୍  ପ୍ରକାଶୟତି  ସ ଆକାଶଃ’ — ଯିଏ ସବୁ ଦିଗରୁ ସକଳ ଜଗତକୁ ପ୍ରକାଶିତ କରନ୍ତି, ଏଣୁ ସେ ପରମାତ୍ମାଙ୍କ ନାମ ‘ଆକାଶ’ ।
‘ଅଦ୍  ଭକ୍ଷଣେ’ ଧାତୁରୁ ‘ଅନ୍ନ’ ଶବ୍ଦ ଗଠିତ ହୁଏ —
ଅଦ୍ୟତେଽତ୍ତି  ଚ  ଭୂତାନି  ତସ୍ମାଦନ୍ନଂ  ତଦୁଚ୍ୟତେ ।      (ତୈତ୍ତି. ୨:୨)
ଅହମନ୍ନମହମନ୍ନମହମନ୍ନମ୍ । ଅହମନ୍ନାଦୋଽହମନ୍ନଦୋଽହମନ୍ନାଦଃ ।ା    (ତୈତ୍ତି. ୩:୧୦)
ଅତ୍ତା  ଚରାଽଚରଗ୍ରହଣାତ୍ ।                (ବେଦାନ୍ତ. ୧:୨:୯)
ସମସ୍ତଙ୍କୁ ଭିତରେ ରଖିବା, ସମସ୍ତଙ୍କୁ ଗ୍ରହଣ କରିବା ଯୋଗ୍ୟ, ଚରାଚର ଜଗତର ଗ୍ରହଣକର୍ତ୍ତା ହୋଇଥିବା ହେତୁ ଈଶ୍ୱରଙ୍କ ନାମ ‘ଅନ୍ନ’, ‘ଅନ୍ନାଦ’ ଓ ‘ଅତ୍ତା’ । ଉପନିଷଦ ବାକ୍ୟରେ ‘ଅନ୍ନ’ ଓ ‘ଅନ୍ନାଦ’ ଯେଉଁ ତିନିଥର ଅଛି, ତାହା ଆଦର-ସମ୍ମାନ ଦୃଷ୍ଟିରୁ ଅଛି  । ଡିମିରି ଫଳରେ ଯେପରି କୃମି ଉତ୍ପନ୍ନ ହୋଇ, ସେହିଥିରେ ରହନ୍ତି ଓ ଶେଷରେ ସେହିଠାରେ ନଷ୍ଟ ହୋଇଯାନ୍ତି, ସେହିପରି ପରମେଶ୍ୱରଙ୍କ ଭିତରେ ସମଗ୍ର ଜଗତ ଉତ୍ପନ୍ନ ହୋଇ ଅବସ୍ଥାନ କରେ ଓ ପ୍ରଳୟ ସମୟରେ ପୁଣି ନଷ୍ଟ ହୋଇଯାଏ । 
‘ବସ  ନିବାସେ’ ଧାତୁରୁ ‘ବସୁ’ ଶବ୍ଦ ସିଦ୍ଧ ହୋଇଛି  । ‘ବସନ୍ତି  ଭୂତାନି  ୟସ୍ମିନ୍,  ଅଥବା ୟଃ  ସର୍ବେଷୁ   ଭୂତେଷୁ  ବସତି  ସ  ବସୁରୀଶ୍ୱରଃ’ — ଆକାଶାଦି ସମସ୍ତ ଭୂତ ଯାହାଙ୍କ ମଧ୍ୟରେ ବାସ କରନ୍ତି ଏବଂ ଯିଏ ସମସ୍ତଙ୍କ ଭିତରେ ବାସ କରୁଛନ୍ତି, ସେହି ଈଶ୍ୱରଙ୍କ ନାମ ‘ବସୁ’ ।
‘ରୁଦିର୍  ଅଶ୍ରୁବିମୋଚନେ’ ଧାତୁରେ ‘ରୋଦେର୍ଣ୍ଣଲୁକ୍ ଚ’ (ଉଣାଦି. ୨:୨୭) ସୂତ୍ର ଅନୁସାରେ ‘ଣିଚ୍’ ଓ ‘ରକ୍’ ପ୍ରତ୍ୟୟ ଯୋଗରେ ‘ରୁଦ୍ର’ ଶବ୍ଦ ସିଦ୍ଧ ହୁଏ । ‘ୟୋ ରୋଦୟତ୍ୟନ୍ୟାୟକାରିଣୋ  ଜନାନ୍  ସ  ରୁଦ୍ରଃ’ — ଯିଏ ଅନ୍ୟାୟକାରୀ, ପାପାଚରଣକାରୀଙ୍କୁ ରୋଦନ କରାନ୍ତି, ଅତଃ ସେହି ପରମେଶ୍ୱରଙ୍କ ନାମ ‘ରୁଦ୍ର’ ।
ୟନ୍ମନସା  ଧ୍ୟାୟତି  ତଦ୍ୱାଚା  ବଦତି, ୟଦ୍ୱାଚା  ବଦତି  ତତ୍  କର୍ମଣା  କରୋତି, ୟତ୍  କର୍ମଣା  କରୋତି ତଦଭିସମ୍ପଦ୍ୟତେ ।ା     ତୁଳନା (ଶତପଥ. ୧୪:୬:୭:୭) 
ମନୁଷ୍ୟ ମନରେ ଯାହା ଚିନ୍ତା କରେ, ତାହା ବାଣୀରେ କହେ; ବାଣୀରେ ଯାହା ପ୍ରକାଶ କରେ, ତାହା କାମରେ କରେ; କାର୍ଯ୍ୟରେ ଯାହା କରେ, ତାହା ହିଁ ପ୍ରାପ୍ତ କରେ । ଏଥିରୁ ନିଷ୍କର୍ଷ ବାହାରୁଛି ଯେ ଜୀବ ଯେପରି କର୍ମ କରେ, ସେପରି ହିଁ ଫଳ ପାଏ । ପାପକର୍ମ କରିଥିବା ଜୀବମାନେ ଯେତେବେଳେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଦୁଃଖ ରୂପକ ଫଳ ପାଇଥାନ୍ତି, ସେତେବେଳେ କାନ୍ଦିଥାନ୍ତି । ଏହିଭଳି ଭାବେ ଈଶ୍ୱର ସେମାନଙ୍କୁ ରୋଦନ କରାଇଥାନ୍ତି । ଏଣୁ ଈଶ୍ୱରଙ୍କ ନାମ ‘ରୁଦ୍ର’ ।
ଆପୋ  ନାରା  ଇତି  ପ୍ରୋକ୍ତା  ଆପୋ  ବୈ  ନରସୂନବଃ । 
ତା  ୟଦସ୍ୟାୟନଂ  ପୂର୍ବଂ  ତେନ  ନାରାୟଣଃ ସ୍ମୃତଃ ।ା           (ମନୁ. ୧:୧୦)
‘ଜଳ’ ଓ ‘ଜୀବ’ର ନାମ ‘ନାରା’ । ଏମାନେ ଅୟନ ଅର୍ଥାତ୍ ନିବାସସ୍ଥାନ ଅଟନ୍ତି ଯାହାର, ସେ ‘ନାରାୟଣ’ । ଅତଃ ଜୀବଗଣ ସେ ଈଶ୍ୱରଙ୍କ ନିବାସ ସ୍ଥାନ ହୋଇଥିବାରୁ ଅର୍ଥାତ୍ ସମସ୍ତ ଜୀବଙ୍କ ଭିତରେ ବ୍ୟାପକ ହୋଇଥିବାରୁ ପରମାତ୍ମାଙ୍କ ନାମ ‘ନାରାୟଣ’ ।
‘ଚଦି ଆହ୍ଲାଦେ’ ଧାତୁରୁ ‘ଚନ୍ଦ୍ର’ ଶବ୍ଦ ନିଷ୍ପନ୍ନ । ‘ୟଶ୍ଚନ୍ଦତି  ଚନ୍ଦୟତି  ବା  ସ  ଚନ୍ଦ୍ରଃ’ — ଈଶ୍ୱର ଆନନ୍ଦସ୍ୱରୂପ ହୋଇଥିବାରୁ ଓ ସମସ୍ତଙ୍କୁ ଆନନ୍ଦ ଦେଉଥିବାରୁ ତାଙ୍କ ନାମ ‘ଚନ୍ଦ୍ର’ ।
‘ମଗି ଗତ୍ୟର୍ଥକ’ ଧାତୁରୁ ‘ମଙ୍ଗେରଲଚ୍’ (ଉଣାଦି. ୫:୭୦) ଏ ଉଣାଦି ସୂତ୍ର ଅନୁସାରେ ‘ମଙ୍ଗଳ’ ଶବ୍ଦ ସିଦ୍ଧ ହୁଏ । ‘ୟୋ  ମଙ୍ଗତି ମଙ୍ଗୟତି  ବା  ସ  ମଙ୍ଗଲଃ’ — ଯିଏ ନିଜେ ମଙ୍ଗଳସ୍ୱରୂପ ଓ ସକଳ ଜୀବଙ୍କ ମଙ୍ଗଳକର୍ତ୍ତା, ସେହି ପରମେଶ୍ୱରଙ୍କ ନାମ ‘ମଙ୍ଗଳ’ ।
‘ବୁଧ ଅବଗମନେ’ ଧାତୁରୁ ‘ବୁଧ’ ଶବ୍ଦ ସିଦ୍ଧ ହୁଏ । ‘ୟୋ  ବୁଧ୍ୟତେ  ବୋଧୟତି  ବା  ସ  ବୁଧଃ’ — ଯିଏ ନିଜେ ବୋଧ ବା ଜ୍ଞାନସ୍ୱରୂପ ଏବଂ ଜୀବଙ୍କ ବୋଧ ବା ଜ୍ଞାନପ୍ରାପ୍ତିର କାରଣ, ସେହି ପରମେଶ୍ୱରଙ୍କ ନାମ ‘ବୁଧ’ । ‘ବୃହସ୍ପତି’ ଶବ୍ଦର ଅର୍ଥ ପୂର୍ବରୁ କରିଦିଆଯାଇଛି ।
‘ଈଶୁଚିର୍  ପୂତୀଭାବେ’ ଧାତୁରୁ ‘ଶୁକ୍ର’ ଶବ୍ଦ ସିଦ୍ଧ ହୋଇଛି । ‘ୟଃ  ଶୁଚ୍ୟତି  ଶୋଚୟତି  ବା  ସ  ଶୁକ୍ରଃ’ — ଯିଏ ଅତ୍ୟନ୍ତ ପବିତ୍ର ତଥା ଯାହାଙ୍କ ସଙ୍ଗ ଲାଭ କରି ଜୀବ ବି ପବିତ୍ର ହୋଇଯାଏ, ସେହି ଈଶ୍ୱରଙ୍କ ନାମ ‘ଶୁକ୍ର’ ।
‘ଚର  ଗତିଭକ୍ଷଣୟୋଃ’ ଧାତୁରେ ‘ଶନୈସ୍’ ଅବ୍ୟୟ ଉପପଦ ଯୁକ୍ତ ହୋଇ ‘ଶନୈଶ୍ଚର’ ଶବ୍ଦ ସିଦ୍ଧ ହୋଇଛି । ‘ୟଃ  ଶନୈଶ୍ଚରତି  ସ  ଶନୈଶ୍ଚରଃ’ — ଯିଏ ସକଳ ବସ୍ତୁରେ ସହଜରେ ପ୍ରାପ୍ତ ଏବଂ ଧୈର୍ଯ୍ୟଶାଳୀ ଅଟନ୍ତି, ସେହି ପରମେଶ୍ୱରଙ୍କ ନାମ ‘ଶନୈଶ୍ଚର’ ।
‘ରହ ତ୍ୟାଗେ’ ଧାତୁରୁ ‘ରାହୁ’ ଶବ୍ଦ ଉତ୍ପନ୍ନ ହୁଏ । ‘ୟୋ  ରହତି  ପରିତ୍ୟଜତି  ଦୁଷ୍ଟାନ୍,  ରାହୟତି  ତ୍ୟାଜୟତି  ବା  ସ  ରାହୁରୀଶ୍ୱରଃ’ — ଯିଏ ଏକାନ୍ତସ୍ୱରୂପ, ଯାହାଙ୍କ ସ୍ୱରୂପରେ ଅନ୍ୟ କୌଣସି ପଦାର୍ଥ ସଂଯୁକ୍ତ ବା ମିଶ୍ରିତ ନୁହେଁ, ଯିଏ ଦୁଷ୍ଟଙ୍କୁ ତ୍ୟାଗ କରନ୍ତି ଏବଂ ଅନ୍ୟକୁ ଦୁଷ୍ଟଙ୍କ ଦାଉରୁ ରକ୍ଷା କରନ୍ତି, ସେ ପରମେଶ୍ୱରଙ୍କ ନାମ ‘ରାହୁ’ ।
‘କିତ  ନିବାସେ  ରୋଗାପନୟନେ  ଚ’ ଧାତୁରୁ ‘କେତୁ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  କେତୟତି  ଚିକତ୍ସତି  ବା ସ  କେତୁରୀଶ୍ୱରଃ’ — ଯିଏ ସକଳ ଜଗତର ନିବାସ ସ୍ଥାନ, ସମସ୍ତ ରୋଗରୁ ରହିତ ଏବଂ ମୁମୁକ୍ଷୁଙ୍କୁ ମୁକ୍ତି ସମୟରେ ସକଳ ରୋଗରୁ ମୁକ୍ତ ରଖନ୍ତି, ସେହି ପରମାତ୍ମାଙ୍କ ନାମ ‘କେତୁ’ ।
‘ୟଜ  ଦେବପୂଜାସଙ୍ଗତିକରଣଦାନେଷୁ’ ଧାତୁରୁ ‘ଯଜ୍ଞ’ ଶବ୍ଦ ସିଦ୍ଧ ହୁଏ । ‘ୟଜେ୍ଞା  ବୈ  ବିଷ୍ଣୁଃ’ (ଶତ. ୧:୧:୨:୧୩, ଗୋପଥ. ଉତ୍ତର. ୪:୬)  । ‘ୟୋ  ୟଜତି  ବିଦ୍ୱଦ୍ଭିରିଜ୍ୟତେ  ବା  ସ  ୟଜ୍ଞଃ’ — ଯିଏ ସକଳ ଜଗତର ପଦାର୍ଥସମୂହକୁ ସଂଯୁକ୍ତ କରନ୍ତି ଏବଂ ସମସ୍ତ ବିଦ୍ୱାନଙ୍କ ପୂଜ୍ୟ, ବ୍ରହ୍ମାଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ସର୍ବ ଋଷି-ମୁନିଙ୍କ ପୂଜ୍ୟ ଥିଲେ, ଅଛନ୍ତି ଓ ରହିବେ, ସେହି ପରମାତ୍ମାଙ୍କ ନାମ ‘ଯଜ୍ଞ’ । ପରମାତ୍ମାଙ୍କ ନାମ ‘ଯଜ୍ଞ’, ଯେହେତୁକି ସେ ସର୍ବତ୍ର ବ୍ୟାପକ । 
 ‘ହୁ  ଦାନାଽଦନୟୋଃ, ଆଦାନେ  ଚେତ୍ୟେକେ’ ଧାତୁରୁ ‘ହୋତା’ ଶବ୍ଦ ନିଷ୍ପନ୍ନ । ‘ୟୋ  ଜୁହୋତି  ସ ହୋତା’ — ଯିଏ ସକଳ ଜୀବଙ୍କୁ ଦାନଯୋଗ୍ୟ ପଦାର୍ଥଗୁଡ଼ିକ ଦିଅନ୍ତି ଏବଂ ଗ୍ରହଣଯୋଗ୍ୟ ପଦାର୍ଥ ଜୀବଙ୍କଠାରୁ ଗ୍ରହଣ କରନ୍ତି, ସେହି ଈଶ୍ୱରଙ୍କ ନାମ ‘ହୋତା’ ।
‘ବନ୍ଧ  ବନ୍ଧନେ’ ଧାତୁରୁ ‘ବନ୍ଧୁ’ ଶବ୍ଦ ଉତ୍ପନ୍ନ ହୋଇଛି । ‘ୟଃ  ସ୍ୱସ୍ମିନ୍  ଚରାଚରଂ  ଜଗଦ୍  ବଧ୍ନାତି, ବନ୍ଧୁବଦ୍ ଧର୍ମାତ୍ମନାଂ  ସୁଖାୟ  ସହାୟ  ବା  ବର୍ତ୍ତତେ  ସ  ବନ୍ଧୁଃ’ — ଯିଏ ନିଜ ଭିତରେ ସକଳ ଲୋକଲୋକାନ୍ତରକୁ ନିୟମରେ ବାନ୍ଧି ରଖିଛନ୍ତି, ଯେପରିକି କୌଣସି ଲୋକ-ଲୋକାନ୍ତର ନିଜର ପରିଧି ବା ନିୟମକୁ ଲଂଘନ କରିପାରିବେ ନାହିଁ; ଏବଂ ଭାଇ ଭାଇର ସହାୟକ ହେଲା ଭଳି ଯିଏ ସହୋଦର ସମ ସମସ୍ତଙ୍କ ସହାୟକ, ପୃଥିବୀ ଆଦି ଲୋକକୁ ଧାରଣ, ରକ୍ଷଣ କରୁଥିବା ଓ ସୁଖ ପ୍ରଦାନ କରୁଥିବା ସେ ଈଶ୍ୱର ‘ବନ୍ଧୁ’ ସଂଜ୍ଞକ ଅଟନ୍ତି ।
 ‘ପା ରକ୍ଷଣେ’ ଧାତୁରୁ ‘ପିତା’ ଶବ୍ଦର ଉତ୍ପତ୍ତି । ‘ୟଃ  ପାତି  ସର୍ବାନ୍  ସ  ପିତା’ — ସମସ୍ତଙ୍କ ରକ୍ଷକ ହୋଇଥିବାରୁ ତଥା ପିତା ଯେପରି ସନ୍ତାନଙ୍କ ଉପରେ ସଦା ଦୟାଳୁ ହୋଇ ସେମାନଙ୍କ ଉନ୍ନତି କାମନା କରନ୍ତି, ପରମେଶ୍ୱର ସେହିପରି ସର୍ବ ଜୀବଙ୍କ ଉନ୍ନତି ଚାହୁଁଥିବାରୁ ଈଶ୍ୱରଙ୍କ ନାମ ‘ପିତା’ ଅଟେ ।
‘ୟଃ  ପିତୃଣାଂ  ପିତା  ସ  ପିତାମହଃ’ — ପରମେଶ୍ୱର ଆମ ପିତାଙ୍କର ବି ପିତା ହୋଇଥିବାରୁ ତାଙ୍କ ନାମ ‘ପିତାମହ’ ।
‘ୟଃ  ପିତାମହାନାଂ  ପିତା  ସ  ପ୍ରପିତାମହଃ’ — ଯିଏ ପିତାଙ୍କ ପିତୃଗଣଙ୍କର ବି ପିତା, ସେହି ଈଶ୍ୱରଙ୍କ ନାମ ‘ପ୍ରପିତାମହ’ । 
‘ମାଙ୍  ମାନେ  ଶବ୍ଦେ  ଚ’ ଧାତୁରୁ ‘ମାତା’ ଶବ୍ଦ ନିର୍ମାଣ ହୁଏ । ‘ୟୋ  ମିମୀତେ  ମାନୟତି  ସର୍ବାଞ୍ଜୀବାନ୍ ସ  ମାତା’ — ଜନନୀ ଯେପରି କୃପାମୟୀ ହୋଇ ସନ୍ତାନଙ୍କ ସୁଖ ଓ ଉନ୍ନତି ନିମନ୍ତେ ପ୍ରଯତ୍ନ କରେ, ପରମେଶ୍ୱର ମଧ୍ୟ ସେହିପରି ସକଳ ଜୀବଙ୍କ ଉନ୍ନତିରେ ସତତ ସଂଲଗ୍ନ ଥିବାରୁ ତାଙ୍କ ନାମ ‘ମାତା’ ।
‘ଆଙ୍’ ପୂର୍ବକ ‘ଚର  ଗତିଭକ୍ଷଣୟୋଃ’ ଧାତୁରୁ ‘ଆଚାର‌୍ୟ୍ୟ’ ଶବ୍ଦ ସିଦ୍ଧ ହୁଏ । ‘ୟ  ଆଚାରଂ  ଗ୍ରାହୟତି, ସର୍ବା ବିଦ୍ୟା  ବୋଧୟତି  ସ  ଆଚାର‌୍ୟ  ଈଶ୍ୱରଃ’ — ଯିଏ ସତ୍ୟ ଆଚାର ଗ୍ରହଣ କରାନ୍ତି ଏବଂ ସକଳ ବିଦ୍ୟା ପ୍ରାପ୍ତିର କାରଣ ହୋଇ ସମସ୍ତ ବିଦ୍ୟା ପ୍ରାପ୍ତ କରାନ୍ତି, ସେହି ଈଶ୍ୱରଙ୍କ ନାମ ‘ଆଚାର୍ଯ୍ୟ’ ।
‘ଗୃ ଶବ୍ଦେ’ ଧାତୁରୁ ‘ଗୁରୁ’ ଶବ୍ଦର ଉତ୍ପତ୍ତି । ‘ୟୋ  ଧର୍ମ୍ୟାନ୍  ଶବ୍ଦାନ୍  ଗୃଣାତ୍ୟୁପଦିଶତି  ସ  ଗୁରୁଃ’ ।
ସ  ଏଷ  ପୂର୍ବେଷାମପି  ଗୁରୁଃ  କାଲେନାନବଚ୍ଛେଦାତ୍ ।     (ୟୋଗ. ୧:୨୬)
ଯିଏ ସତ୍ୟଧର୍ମ ପ୍ରତିପାଦକ, ସକଳ ବିଦ୍ୟାଯୁକ୍ତ ବେଦର ଉପଦେଶ କରନ୍ତି; ଯିଏକି ସୃଷ୍ଟି ପ୍ରାରମ୍ଭରେ ଅଗ୍ନି, ବାୟୁ, ଆଦିତ୍ୟ, ଅଙ୍ଗିରା ତଥା ବ୍ରହ୍ମା ଆଦି ଗୁରୁଙ୍କର ବି ଗୁରୁ ଏବଂ ଯାହାଙ୍କ ବିନାଶ କେବେ ବି ହୁଏ ନାହିଁ, ସେହି ଈଶ୍ୱରଙ୍କ ନାମ ‘ଗୁରୁ’ ।
‘ଅଜ ଗତିକ୍ଷେପଣୟୋଃ’ ଓ ‘ଜନୀ ପ୍ରାଦୁର୍ଭାବେ’ ଧାତୁରୁ ‘ଅଜ’ ଶବ୍ଦ ତିଆରି ହୁଏ । ‘ୟୋଽଜତି  ସୃଷ୍ଟିଂ  ପ୍ରତି ସର୍ବାନ୍  ପ୍ରକୃତ୍ୟାଦୀନ୍  ପଦାର୍ଥାନ୍  ପ୍ରକ୍ଷିପତି,  ଜନୟତି,  କଦାଚିନ୍ନ  ଜାୟତେ  ସୋଽଜଃ’ — ଯିଏ ପ୍ରକୃତିର ସକଳ ଅବୟବ ଆକାଶାଦି ଭୂତର ପରମାଣୁଗୁଡ଼ିକୁ ଯଥାଯଥ ଭାବେ ମିଶାନ୍ତି, ଶରୀର ସହ ଜୀବାତ୍ମାର ସଂଯୋଗ କରି ପ୍ରାଣୀମାନଙ୍କୁ ଜନ୍ମ ଦିଅନ୍ତି, କିନ୍ତୁ ନିଜେ କେବେ ବି ଜନ୍ମଗ୍ରହଣ କରନ୍ତି ନାହିଁ, ତେଣୁ ସେ ଈଶ୍ୱରଙ୍କ ନାମ ‘ଅଜ’ ।
‘ବୃହ ବୃହି  ବୃଦେ୍ଧø’ ଏ ଧାତୁରୁ ‘ବ୍ରହ୍ମା’ ଶବ୍ଦ ସିଦ୍ଧ ହୁଏ । ‘ୟୋଽଖିଲଂ  ଜଗନ୍ନିର୍ମାଣେନ  ବର୍ହତି ବୃହଂତି ବର୍ଦ୍ଧୟତି ସ  ବ୍ରହ୍ମା’ — ଯିଏ ସମଗ୍ର ଜଗତକୁ ନିର୍ମାଣ କରି ବଢ଼ାନ୍ତି, ସେହି ଈଶ୍ୱରଙ୍କ ନାମ ‘ବ୍ରହ୍ମା’ ।
ସତ୍ୟଂ  ଜ୍ଞାନମନନ୍ତଂ  ବ୍ରହ୍ମ ।           (ତୈତ୍ତି. ୨:୧)
‘ସନ୍ତୀତି  ସନ୍ତଃ, ତେଷୁ  ସତ୍ସୁ  ସାଧୁ ତତ୍ସତ୍ୟମ୍ । ୟଜ୍ଜାନାତି  ଚରାଽଚରଂ  ଜଗତ୍ ତଜ୍ଜ୍ଞାନମ୍ । ନ ବିଦ୍ୟତେଽନ୍ତୋଽବଧିର୍ମର‌୍ୟାଦା  ୟସ୍ୟ  ତଦନନ୍ତମ୍ । ସର୍ବେଭ୍ୟୋ  ବୃହତ୍ତ୍ୱାଦ୍  ବ୍ରହ୍ମ’ — ଯେଉଁ ପଦାର୍ଥ ବିଦ୍ୟମାନ ଥାଏ, ତାକୁ ‘ସତ୍’ କହନ୍ତି । ଏସବୁ ବିଦ୍ୟମାନ ସତ୍ତା ଭିତରେ ଶ୍ରେଷ୍ଠ ହୋଇଥିବାରୁ ପରମେଶ୍ୱରଙ୍କ ନାମ ‘ସତ୍ୟ’ । ଯେହେତୁ ଈଶ୍ୱର ସମଗ୍ର ଚରାଚର ଜଗତକୁ ଜାଣନ୍ତି, ଏଣୁ ପରମେଶ୍ୱରଙ୍କ ନାମ ‘ଜ୍ଞାନ’ । ଯାହାର ଅନ୍ତ, ଅବଧି, ମର୍ଯ୍ୟାଦା ଅର୍ଥାତ୍ ଏତିକି ଲମ୍ବା, ଏତିକି ଚଉଡ଼ା, ଛୋଟ-ବଡ଼ ଏପରି ପରିମାଣ ନାହିଁ, ତାହା ଅନନ୍ତ । ଈଶ୍ୱରଙ୍କର ଅନ୍ତ ନାହିଁ, ଏଣୁ ପରମେଶ୍ୱରଙ୍କ ନାମ ‘ଅନନ୍ତ’ । ସବୁଠୁ ବଡ଼ ହୋଇଥିବାରୁ ଈଶ୍ୱରଙ୍କ ନାମ ‘ବ୍ରହ୍ମ’ । ଅତଏବ ଏହିପରି ଭାବେ ଈଶ୍ୱରଙ୍କ ନାମ ‘ସତ୍ୟ, ଜ୍ଞାନ, ଅନନ୍ତ ଓ ବ୍ରହ୍ମ’ ଅଟେ ।
‘ଆଙ୍’ ପୂର୍ବକ ‘ଡୁଦାଞ୍ ଦାନେ’ ଧାତୁରୁ ‘ଆଦି’ ଶବ୍ଦ ଉତ୍ପନ୍ନ ହୁଏ । ‘ଆଦି’ ଶବ୍ଦ ପୂର୍ବରୁ ‘ନଞ୍’ ଯୋଗ ହେଲେ ‘ଅନାଦି’ ଶବ୍ଦ ସିଦ୍ଧ ହୁଏ । ‘ୟସ୍ମାତ୍  ପୂର୍ବଂ  ନାସ୍ତି  ପରଂ  ଚାସ୍ତି  ସ  ଆଦିରିତ୍ୟୁଚ୍ୟତେ । ନ  ବିଦ୍ୟତେ  ଆଦିଃ  କାରଣଂ  ୟସ୍ୟ  ସୋଽନାଦିରୀଶ୍ୱରଃ’ — ଯାହା ପୂର୍ବରୁ କିଛି ନ ଥାଏ ଓ ପରେ ଥାଏ, ତାହାକୁ ‘ଆଦି’ କହନ୍ତି । ଯାହାଙ୍କ ଆଦି କାରଣ କେହି ନାହିଁ, ଏଣୁ ସେ ଈଶ୍ୱରଙ୍କ ନାମ ‘ଅନାଦି’ ।
‘ଅସ ଭୁବି’ ଧାତୁରୁ ‘ସତ୍’ ଶବ୍ଦ ସିଦ୍ଧ ହୁଏ । ‘ୟଦସ୍ତି, ତ୍ରିଷୁ  କାଲେଷୁ  ନ  ବାଧ୍ୟତେ  ତତ୍  ସଦ୍  ବ୍ରହ୍ମ’ — ଯିଏ ସର୍ବଦା ବିଦ୍ୟମାନ; ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏ ତ୍ରିକାଳରେ ଯିଏ ବାଧିତ ନୁହନ୍ତି, ସେହି ପରମେଶ୍ୱରଙ୍କୁ ‘ସତ୍’ କୁହାଯାଏ ।
‘ଚିତୀ ସଂଜ୍ଞାନେ’ ଧାତୁରୁ ‘ଚିତ୍’ ଶବ୍ଦ ସିଦ୍ଧ ହୁଏ । ‘ୟଶ୍ଚେତତି  ଚେତୟତି  ସଂଜ୍ଞାପୟତି  ସର୍ବାନ୍  ସଜ୍ଜନାନ୍ ୟୋଗିନସ୍ତଚ୍ଚିତ୍  ପରଂ  ବ୍ରହ୍ମ’ — ଯିଏ ଚେତନସ୍ୱରୂପ ଅଟନ୍ତି ଏବଂ ସକଳ ସଜ୍ଜନ ଓ ଯୋଗୀଙ୍କୁ ଚେତାନ୍ତି, ସତ୍ୟ-ଅସତ୍ୟର ବୋଧ କରାନ୍ତି, ସେହି ପରମାତ୍ମାଙ୍କ ନାମ ‘ଚିତ୍’ । 
‘ଆଙ୍’ ପୂର୍ବକ ‘ଟୁନଦି  ସମୃଦେ୍ଧø’ ଧାତୁରୁ ‘ଆନନ୍ଦ’ ଶବ୍ଦ ସିଦ୍ଧ ହୁଏ । ‘ଆନନ୍ଦନ୍ତି  ସର୍ବେ  ମୁକ୍ତା  ୟସ୍ମିନ୍, ୟଦ୍ୱା  ୟଃ  ସର୍ବାନ୍  ଜୀବାନାନନ୍ଦୟତି  ସ  ଆନନ୍ଦଃ’ — ଯିଏ ସ୍ୱୟଂ ଆନନ୍ଦସ୍ୱରୂପ ଅଟନ୍ତି, ଯାହାଙ୍କଠାରେ ସମସ୍ତ ମୁକ୍ତ ଜୀବ ଆନନ୍ଦ ପ୍ରାପ୍ତ କରନ୍ତି ଏବଂ ଯିଏ ସକଳ ଧର୍ମାତ୍ମାଙ୍କୁ ଆନନ୍ଦିତ କରନ୍ତି , ସେ ଈଶ୍ୱରଙ୍କ ନାମ ‘ଆନନ୍ଦ’ ।
‘ସତ୍’, ‘ଚିତ୍’ ଓ ‘ଆନନ୍ଦ’ ଏ ତିନୋଟି ଶବ୍ଦର ବିଶେଷଣ ହୋଇଥିବାରୁ ପରମେଶ୍ୱରଙ୍କୁ ‘ସଚ୍ଚିଦାନନ୍ଦସ୍ୱରୂପ’ କୁହାଯାଏ ।
‘ୟୋ  ଧ୍ରୁବୋଽଚଲୋଽବିନାଶୀ  ସ  ନିତ୍ୟଃ’ — ନିଶ୍ଚଳ, ଅବିନାଶୀ ହୋଇଥିବାରୁ ଈଶ୍ୱରଙ୍କ ନାମ ‘ନିତ୍ୟ’ । 
‘ଶୁନ୍ଧ ଶୁଦେ୍ଧø’ ଧାତୁରୁ ‘ଶୁଦ୍ଧ’ ଶବ୍ଦ ନିଷ୍ପନ୍ନ । ‘ୟଃ  ଶୁନ୍ଧତି  ସର୍ବାନ୍  ଶୋଧୟତି  ବା  ସ  ଶୁଦ୍ଧ ଈଶ୍ୱରଃ’ — ଯିଏ ନିଜେ ପବିତ୍ର, ସବୁ ଅଶୁଦ୍ଧିରୁ ରହିତ ଏବଂ ସବୁ ପଦାର୍ଥକୁ ଶୁଦ୍ଧ କରନ୍ତି, ସେହି ଈଶ୍ୱରଙ୍କ ନାମ ‘ଶୁଦ୍ଧ’ ।
‘ବୁଧ ଅବଗମନେ’ ଧାତୁରେ ‘କ୍ତ’ ପ୍ରତ୍ୟୟ ଯୋଗ ହେଲେ ‘ବୁଦ୍ଧ’ ଶବ୍ଦ ଉତ୍ପନ୍ନ ହୁଏ । ‘ୟୋ  ବୁଦ୍ଧବାନ୍ ସଦୈବ  ଜ୍ଞାତାଽସ୍ତି  ସ  ବୁଦେ୍ଧା  ଜଗଦୀଶ୍ୱରଃ’ — ଯିଏ ସର୍ବଦା ସମସ୍ତଙ୍କୁ ଜାଣନ୍ତି, ସେହି ଈଶ୍ୱରଙ୍କ ନାମ ‘ବୁଦ୍ଧ’ ।
‘ମୁଚ୍ଲୃ  ମୋଚନେ’ ଧାତୁରୁ ‘ମୁକ୍ତ’ ଶବ୍ଦ ନିଷ୍ପନ୍ନ । ‘ୟୋ  ମୁଞ୍ଚତି  ମୋଚୟତି  ବା  ମୁମୁକ୍ଷୂନ୍  ସ  ମୁକ୍ତୋ ଜଗଦୀଶ୍ୱରଃ’ — ଯିଏ ସର୍ବଦା ସକଳ ଅପବିତ୍ରତାରୁ ରହିତ ଅଟନ୍ତି ଏବଂ ସକଳ ମୁମୁକ୍ଷୁଙ୍କୁ କ୍ଲେଶରୁ ମୁକ୍ତ କରିଦିଅନ୍ତି, ସେହି ପରମାତ୍ମାଙ୍କ ନାମ ‘ମୁକ୍ତ’ ।
‘ଅତ  ଏବ  ନିତ୍ୟଶୁଦ୍ଧବୁଦ୍ଧମୁକ୍ତସ୍ୱଭାବୋ  ଜଗଦୀଶ୍ୱରଃ’ — ଅତଏବ ପରମେଶ୍ୱରଙ୍କ ସ୍ୱଭାବ ନିତ୍ୟ, ଶୁଦ୍ଧ, ବୁଦ୍ଧ ଓ ମୁକ୍ତ ।
‘ନିର୍’ ଓ ‘ଆଙ୍’ ପୂର୍ବକ ‘ଡୁକୃଞ୍ କରଣେ’ ଧାତୁରୁ ‘ନିରାକାର’ ଶବ୍ଦ ସିଦ୍ଧ ହୁଏ । ‘ନିର୍ଗତ  ଆକାରାତ୍  ସ ନିରାକାରଃ’ — ଯାହାଙ୍କର କୌଣସି ଆକାର ନାହିଁ କି ଯିଏ କଦାପି ଶରୀର ଧାରଣ କରନ୍ତି ନାହିଁ, ସେହି ପରମେଶ୍ୱରଙ୍କ ନାମ ‘ନିରାକାର’ ।
‘ଅଂଜୂ  ବ୍ୟକ୍ତିମ୍ରକ୍ଷଣକାନ୍ତିଗତିଷୁ’ଧାତୁରୁ ‘ଅଞ୍ଜନ’ ଶବ୍ଦ ଗଠିତ । ତା’ ପୂର୍ବରୁ ‘ନିର୍’ ଉପସର୍ଗ ଯୁକ୍ତ ହେଲେ ‘ନିରଞ୍ଜନ’ ଶବ୍ଦ ସିଦ୍ଧ ହୁଏ । ‘ଅଞ୍ଜନଂ  ବ୍ୟକ୍ତିର୍ମ୍ରକ୍ଷଣଂ  କୁକାମନାଭିଃ-ଇନ୍ଦ୍ରିୟୈଃ  ପ୍ରାପ୍ତିଶ୍ଚେତ୍ୟସ୍ମାଦ୍  ୟୋ  ନିର୍ଗତଃ ପୃଥଗ୍ଭୂତଃ  ସ  ନିରଞ୍ଜନଃ’ — ଯିଏ ବ୍ୟକ୍ତି ଅର୍ଥାତ୍ ଆକୃତି, ମ୍ରକ୍ଷାଚାର(ପାଖଣ୍ଡ ବା ଛଳ-କପଟଯୁକ୍ତ ଆଚରଣ), ଦୁଷ୍ଟକାମନା ଏବଂ ଇନ୍ଦ୍ରିୟଗୁଡ଼ିକର ବିଷୟସମୂହ(ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ)ରୁ ପୃଥକ୍, ସେହି ଈଶ୍ୱରଙ୍କ ନାମ ‘ନିରଞ୍ଜନ’ ।
‘ଗଣ ସଂଖ୍ୟାନେ’ ଧାତୁରୁ ‘ଗଣ’ ଶବ୍ଦ ସିଦ୍ଧ ହୁଏ । ଏହା ସହ ‘ଈଶ’ ଓ ‘ପତି’ ଶବ୍ଦ ଯୋଡ଼ିଲେ ଯଥାକ୍ରମେ ‘ଗଣେଶ’ ଏବଂ ‘ଗଣପତି’ ଶବ୍ଦ ଉତ୍ପନ୍ନ ହୁଏ । ‘ୟେ  ପ୍ରକୃତ୍ୟାଦୟୋ  ଜଡ଼ା  ଜୀବାଶ୍ଚ  ଗଣ୍ୟନ୍ତେ  ସଂଖ୍ୟାୟନ୍ତେ, ତେଷାମୀଶଃ  ସ୍ୱାମୀ  ପତିଃ  ପାଲକୋ  ବା ସ ଗଣେଶୋ ଗଣପତିର୍ବା’ — ପ୍ରକୃତି ଆଦି ଜଡ଼ ପଦାର୍ଥ ଓ ସକଳ ଜୀବଗଣଙ୍କର ଯିଏ ସ୍ୱାମୀ ବା ପାଳନକର୍ତ୍ତା ଅଟନ୍ତି, ସେହି ଈଶ୍ୱରଙ୍କ ନାମ ‘ଗଣେଶ’ ବା ‘ଗଣପତି’ ଅଟେ ।
‘ୟୋ  ବିଶ୍ୱମୀଷ୍ଟେ  ସ  ବିଶ୍ୱେଶ୍ୱରଃ’ — ଯିଏ ବିଶ୍ୱବ୍ରହ୍ମାଣ୍ଡର ଅଧିଷ୍ଠାତା, ସେ ଈଶ୍ୱରଙ୍କ ନାମ ‘ବିଶ୍ୱେଶ୍ୱର’ ।
‘ୟଃ  କୂଟେଽନେକବିଧବ୍ୟବହାରେ  ସ୍ୱସ୍ୱରୂପେଣୈବ  ତିଷ୍ଠତି  ସ  କୂଟସ୍ଥଃ  ପରମେଶ୍ୱରଃ’— ଯିଏ ସକଳ ବ୍ୟବହାରରେ ପରିବ୍ୟାପ୍ତ ଏବଂ ସମସ୍ତ ବ୍ୟବହାରର ଆଧାର ହୋଇ ସୁଦ୍ଧା କେଉଁଥିରେ ବି ସ୍ୱ ସ୍ୱରୂପକୁ ପରିବର୍ତ୍ତନ କରନ୍ତି ନାହିଁ, ଅତଃ ସେହି ଈଶ୍ୱରଙ୍କ ନାମ ‘କୂଟସ୍ଥ’ ।
‘ଦେବ’ ଶବ୍ଦର ଯାହା-ଯାହା ଅର୍ଥ ଲେଖାଯାଇଛି, ‘ଦେବୀ’ ଶବ୍ଦର  ଅର୍ଥ ବି ତାହା । ପୁଂଲିଙ୍ଗରେ ‘ଦେବ’ ଶବ୍ଦ ହେଉଥିବା ବେଳେ ସ୍ତ୍ରୀଲିଙ୍ଗରେ ‘ଦେବୀ’ ଶବ୍ଦ ହୁଏ । ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ ଓ କ୍ଲୀବଲିଙ୍ଗ ଏ ତିନୋଟି ଯାକ ଲିଙ୍ଗରେ ପରମେଶ୍ୱରଙ୍କ ନାମ ବିଦ୍ୟମାନ । ଯଥା— ‘ବ୍ରହ୍ମ ଚିତିରୀଶ୍ୱରଶ୍ଚେତି’ । ‘ଈଶ୍ୱର’ ଶବ୍ଦର ବିଶେଷଣ ରୂପେ ପ୍ରଯୁକ୍ତ ହେଲେ ‘ଦେବ’ ଶବ୍ଦ ପ୍ରଯୁକ୍ତ ହୁଏ, ‘ଚିତି’ ଶବ୍ଦର ବିଶେଷଣ ରୂପେ ପ୍ରଯୁକ୍ତ ହେଲେ ‘ଦେବୀ’ ଶବ୍ଦ ବ୍ୟବହୃତ ହୁଏ । ଏଣୁ ଈଶ୍ୱରଙ୍କ ନାମ ‘ଦେବୀ’ ।
‘ଶକ୍ଲୃ ଶକ୍ତୌ’ ଧାତୁରୁ ‘ଶକ୍ତି’ ଶବ୍ଦର ଉତ୍ପତ୍ତି । ‘ୟଃ  ସର୍ବଂ  ଜଗତ୍  କର୍ତ୍ତୁଂ  ଶକ୍ନୋତି  ସ  ଶକ୍ତିଃ’ — ଯିଏ ସକଳ ଜଗତକୁ ନିର୍ମାଣ କରିବାରେ ସମର୍ଥ, ସେହି ପରମେଶ୍ୱରଙ୍କ ନାମ ‘ଶକ୍ତି’ ।
‘ଶ୍ରିଞ୍ ସେବାୟାମ୍’ ଧାତୁରୁ ‘ଶ୍ରୀ’ ଶବ୍ଦ ତିଆରି । ‘ୟଃ  ଶ୍ରୀୟତେ  ସେବ୍ୟତେ  ସର୍ବେଣ  ଜଗତା  ବିଦ୍ୱଦ୍ଭିର‌୍ୟୋଗିଭିଶ୍ଚ ସ  ଶ୍ରୀରୀଶ୍ୱରଃ’ — ଯିଏ ସକଳ ଜଗତ, ବିଦ୍ୱାନ୍ ଓ ଯୋଗୀଜନଙ୍କ ସେବ୍ୟ ସେହି ପରମାତ୍ମାଙ୍କ ନାମ ‘ଶ୍ରୀଃ’ ।
‘ଲକ୍ଷ ଦର୍ଶନାଙ୍କନୟୋଃ’ ଧାତୁରୁ ‘ଲକ୍ଷ୍ମୀ’ ଶବ୍ଦ ସିଦ୍ଧ ହୁଏ । ‘ୟୋ  ଲକ୍ଷୟତି  ପଶ୍ୟତ୍ୟଙ୍କତେ ଚିହ୍ନୟତି ଚରାଽଚରଂ  ଜଗତ୍, ଅଥବା  ବେଦୈରାପ୍ତୈର‌୍ୟୋଗିଭିଶ୍ଚ  ୟୋ  ଲକ୍ଷ୍ୟତେ  ସ  ଲକ୍ଷ୍ମୀଃ  ସର୍ବପ୍ରିୟେଶ୍ୱରଃ’ — ଯିଏ ସକଳ ଚରାଚର ଜଗତକୁ ଦେଖନ୍ତି, ବିବିଧ ଚିହ୍ନ ଦ୍ୱାରା ଚିହ୍ନିତ କରନ୍ତି, ଯଥା— ଶରୀରରେ ଚକ୍ଷୁ, ନାସିକା ଆଦି ଅଙ୍ଗପ୍ରତ୍ୟଙ୍ଗ; ବୃକ୍ଷରେ ପତ୍ର, ପୁଷ୍ପ, ଫଳ, ମୂଳ; ପୃଥିବୀ, ଜଳରେ କୃଷ୍ଣ, ରକ୍ତ, ଶ୍ୱେତ ମୃତ୍ତିକା, ପାଷାଣ ଆଦି; ଚନ୍ଦ୍ର-ସୂର୍ଯ୍ୟାଦି ଚିହ୍ନ ତିଆରି କରନ୍ତି, ସମସ୍ତଙ୍କୁ ଦେଖାନ୍ତି ତଥା ସର୍ବ ଶୋଭାର ଶୋଭା ଏବଂ ଯିଏ ବେଦାଦି ଶାସ୍ତ୍ର, ଧାର୍ମିକ ବିଦ୍ୱାନ୍ ଓ ଯୋଗୀଜନଙ୍କ ଲକ୍ଷ୍ୟ ଅର୍ଥାତ୍ ଦର୍ଶନ ଯୋଗ୍ୟ ଅଟନ୍ତି, ସେହି ପରମେଶ୍ୱରଙ୍କ ନାମ ‘ଲକ୍ଷ୍ମୀ’ ।
‘ସୃ ଗତୌ’ ଧାତୁରୁ ‘ସରସ୍’ ଶବ୍ଦ ଏବଂ ଏଥିରେ ‘ମତୁପ୍’ ଓ ‘ଙୀପ୍’ ପ୍ରତ୍ୟୟ ଯୋଗ ହୋଇ ‘ସରସ୍ୱତୀ’ ଶବ୍ଦ ଉତ୍ପନ୍ନ ହୁଏ । ‘ସରୋ  ବିବିଧଂ  ଜ୍ଞାନଂ  ବିଦ୍ୟତେ  ୟସ୍ୟାଂ  ଚିତୌ  ସା  ସରସ୍ୱତୀ’ — ଯାହାଙ୍କଠାରେ ବିବିଧ ବିଜ୍ଞାନ ଅର୍ଥାତ୍ ଶବ୍ଦ-ଅର୍ଥ-ସମ୍ବନ୍ଧ ଓ ପ୍ରୟୋଗର ଜ୍ଞାନ ଯଥାଯଥ ରୂପେ ବିଦ୍ୟମାନ, ସେ ଈଶ୍ୱରଙ୍କ ନାମ ‘ସରସ୍ୱତୀ’ ।
‘ସର୍ବାଃ  ଶକ୍ତୟୋ  ବିଦ୍ୟନ୍ତେ  ୟସ୍ମିନ୍  ସ  ସର୍ବଶକ୍ତିମାନୀଶ୍ୱରଃ’— ଯିଏ ନିଜର କାର୍ଯ୍ୟ କରିବାରେ ଲେଶମାତ୍ର ବି ଅନ୍ୟର ସହାୟତାର ଇଚ୍ଛା ରଖନ୍ତି ନାହିଁ, ନିଜ ସାମର୍ଥ୍ୟ ବଳରେ ହିଁ ନିଜର ସକଳ କାର୍ଯ୍ୟ ସମ୍ପାଦନ କରନ୍ତି, ସେହି ପରମାତ୍ମାଙ୍କ ନାମ ‘ସର୍ବଶକ୍ତିମାନ୍’ ।
‘ଣୀଞ୍ ପ୍ରାପଣେ’ ଧାତୁରୁ ‘ନ୍ୟାୟ’  ଶବ୍ଦ ସିଦ୍ଧ ହୁଏ । ‘ପ୍ରମାଣୈରର୍ଥପରୀକ୍ଷଣଂ  ନ୍ୟାୟଃ’ (ନ୍ୟାୟ. ବାତ୍ସାୟନ. ୧:୧:୧) ଓ ‘ପକ୍ଷପାତରାହିତ୍ୟାଚରଣଂ  ନ୍ୟାୟଃ’ — ପ୍ରତ୍ୟକ୍ଷାଦି ପ୍ରମାଣ ଦ୍ୱାରା ପରୀକ୍ଷା କରିବା ପରେ ଯାହା ସତ୍ୟ ପ୍ରମାଣିତ ହୁଏ ଏବଂ ଯାହା ପକ୍ଷପାତରହିତ ଧର୍ମରୂପକ ଆଚରଣ, ତାହା ‘ନ୍ୟାୟ’ । ‘ନ୍ୟାୟଂ କର୍ତ୍ତୁଂ ଶୀଲମସ୍ୟ ସ ନ୍ୟାୟକାରୀଶ୍ୱରଃ’ — ନ୍ୟାୟ ଅର୍ଥାତ୍ ପକ୍ଷପାତରହିତ ଧର୍ମ ଆଚରଣ ହିଁ ଯାହାଙ୍କ ସ୍ୱଭାବ, ସେ ଈଶ୍ୱରଙ୍କ ନାମ ‘ନ୍ୟାୟକାରୀ’ ।
‘ଦୟ ଦାନଗତିରକ୍ଷଣହିଂସାଦାନେଷୁ’ ଧାତୁରୁ ‘ଦୟା’ ଶବ୍ଦ ସିଦ୍ଧ ହୁଏ । ‘ଦୟତେ  ଦଦାତି  ଜାନାତି  ଗଚ୍ଛତି  ରକ୍ଷତି  ହିନସ୍ତି  ୟୟା  ସା  ଦୟା,  ବହ୍ୱୀ  ଦୟା  ବିଦ୍ୟତେ  ୟସ୍ୟ  ସ  ଦୟାଲୁଃ  ପରମେଶ୍ୱରଃ’ —ଯିଏ ଅଭୟ-ପ୍ରଦାତା, ସତ୍ୟ-ଅସତ୍ୟ ସକଳ ବିଦ୍ୟାର ଜ୍ଞାତା, ସଜ୍ଜନମାନଙ୍କ ରକ୍ଷାକର୍ତ୍ତା ଏବଂ ଦୁଷ୍ଟମାନଙ୍କୁ ଯଥାଯଥ ଦଣ୍ଡ ଦାତା, ସେହି ଈଶ୍ୱରଙ୍କ ନାମ ‘ଦୟାଳୁ’ ।
‘ଦ୍ୱୟୋର୍ଭାବୋ  ଦ୍ୱାଭ୍ୟାମିତଂ  ସା  ଦ୍ୱିତା  ଦ୍ୱୀତଂ  ବା,  ସୈବ  ତଦେବ  ବା  ଦ୍ୱୈତମ୍ । ନ  ବିଦ୍ୟତେ  ଦ୍ୱୈତଂ  ଦ୍ୱିତୀୟେଶ୍ୱରଭାବୋ  ୟସ୍ମିଂସ୍ତଦଦ୍ୱୈତମ୍ ।’ ଅର୍ଥାତ୍ ‘ସଜାତୀୟବିଜାତୀୟସ୍ୱଗତଭେଦଶୂନ୍ୟଂ  ବ୍ରହ୍ମ’ — ଦୁଇର ବିଦ୍ୟମାନତା ବା କୌଣସି ବସ୍ତୁ ସହ ‘ଦୁଇ’ ସଂଖ୍ୟା ଯୋଡ଼ି ହେବା ସ୍ଥିତି ଦ୍ୱିତା ବା ଦ୍ୱୀତ କିମ୍ବା ଦ୍ୱୈତ ଅଟେ । ଯାହା ଦ୍ୱୈତରୁ ରହିତ ତାହା ‘ଅଦ୍ୱୈତ’ । ଗୋଟିଏ ଜାତିର ଦୁଇଟି ପଦାର୍ଥ ମଧ୍ୟରେ ଥିବା ପ୍ରଭେଦ, ଯଥା— ମଣିଷ ଜାତି ଭିତରେ ମଣିଷ-ମଣିଷ ମଧ୍ୟରେ ଥିବା ପାର୍ଥକ୍ୟ, ସଜାତୀୟ ଭେଦ ଅଟେ । ଦୁଇଟି ଅଲଗା ଜାତି ମଧ୍ୟରେ ଥିବା ପ୍ରଭେଦ, ଯଥା — ମନୁଷ୍ୟ ଏବଂ ବୃକ୍ଷ, ପାଷାଣ ଆଦି ଭିତରେ ଥିବା ପାରସ୍ପରିକ ପାର୍ଥକ୍ୟ, ବିଜାତୀୟ ଭେଦ । ଏକ ପଦାର୍ଥର ଭିନ୍ନ-ଭିନ୍ନ ଅବୟବ ମଧ୍ୟରେ ଥିବା ପ୍ରଭେଦ, ଯଥା — ମଣିଷ ଶରୀରରେ ଥିବା ଆଖି, ନାକ, କାନ ମଧ୍ୟରେ ଥିବା ପ୍ରଭେଦ, ସ୍ୱଗତ ଭେଦ ଅଟେ । ପରମେଶ୍ୱର ଅନ୍ୟ ସଜାତୀୟ ଈଶ୍ୱର, ବିଜାତୀୟ ଈଶ୍ୱର ଏବଂ ନିଜ ସ୍ୱରୂପରେ ଅନ୍ୟ ତତ୍ତ୍ୱର ଉପସ୍ଥିତିରୁ ରହିତ, ଏକରସ ହୋଇଥିବାରୁ, ସେହି ପରମାତ୍ମାଙ୍କ ନାମ ‘ଅଦ୍ୱୈତ’ ।
‘ଗୁଣ୍ୟନ୍ତେ  ୟେ  ତେ  ଗୁଣା  ବା  ୟୈର୍ଗୁଣୟନ୍ତି  ତେ  ଗୁଣାଃ, ୟୋ  ଗୁଣେଭ୍ୟୋ  ନିର୍ଗତଃ  ସ  ନିର୍ଗୁଣ  ଈଶ୍ୱରଃ’— ସତ୍ତ୍ୱ, ରଜ, ତମ, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଅଦି ଯେତେସବୁ ଜଡ଼ ପଦାର୍ଥର ଗୁଣ ଅଛି ଏବଂ ଅବିଦ୍ୟା, ଅଳ୍ପଜ୍ଞତା, ରାଗ, ଦ୍ୱେଷ ତଥା ଅସ୍ମିତା କ୍ଲେଶ ପ୍ରଭୃତି ଜୀବାତ୍ମାର ଗୁଣ ରହିଛି, ଏସବୁଥିରୁ ଯିଏ ପୃଥକ୍ ସେ ଈଶ୍ୱର ଅଟନ୍ତି । ଏ ସମ୍ବନ୍ଧରେ ଉପନିଷଦରେ ପ୍ରମାଣ ଅଛି — ‘ଅଶବ୍ଦମସ୍ପର୍ଶମରୂପମବ୍ୟୟମ୍’ (କଠ. ୩:୧୫) । ଯେହେତୁ ଈଶ୍ୱର ଶବ୍ଦ, ସ୍ପର୍ଶ, ରୂପ ଆଦି ଗୁଣରୁ ରହିତ, ଏଣୁ ପରମାତ୍ମାଙ୍କ ନାମ ‘ନିର୍ଗୁଣ’ ।
‘ୟୋ  ଗୁଣୈଃ  ସହ  ବର୍ତ୍ତତେ  ସ  ସଗୁଣଃ’ — ସର୍ବଜ୍ଞତା, ସକଳ ସୁଖ, ପବିତ୍ରତା, ଅନନ୍ତ ବଳ ଆଦି ଗୁଣରେ ଯୁକ୍ତ ହୋଇଥିବାରୁ ଈଶ୍ୱରଙ୍କ ନାମ ‘ସଗୁଣ’ । ଗନ୍ଧାଦି ଗୁଣଯୁକ୍ତ ହୋଇଥିବାରୁ ଯେପରି ପୃଥିବୀ ‘ସଗୁଣ’ ଏବଂ ଇଚ୍ଛା ଆଦି ଗୁଣରୁ ରହିତ ହୋଇଥିବାରୁ ‘ନିର୍ଗୁଣ’, ସେହିପରି ଜଗତ ଓ ଜୀବର ଗୁଣରୁ ରହିତ ହୋଇଥିବାରୁ ଈଶ୍ୱର ‘ନିର୍ଗୁଣ’ ଏବଂ ସର୍ବଜ୍ଞତା ଆଦି ଗୁଣଯୁକ୍ତ ହୋଇଥିବାରୁ ‘ସଗୁଣ’ ଅଟନ୍ତି । ଅର୍ଥାତ୍ ନିଷ୍କର୍ଷ ହେଲା ଯେ ଏପରି କୌଣସି ପଦାର୍ଥ ନାହିଁ ଯାହା ସଗୁଣତା ଓ ନିର୍ଗୁଣତାରୁ ଅଲଗା ରହିପାରିବ  । ଯେପରି ଚେତନ ପଦାର୍ଥର ଗୁଣରୁ ରହିତ ହୋଇଥିବା ହେତୁ ଜଡ଼ ପଦାର୍ଥ ‘ନିର୍ଗୁଣ’, କିନ୍ତୁ ନିଜ ଗୁଣ ସହିତ ଯୁକ୍ତ ରହିଥିବାରୁ ‘ସଗୁଣ’, ସେପରି ହିଁ ଜଡ଼ର ଗୁଣସମୂହରୁ ପୃଥକ୍ ହୋଇଥିବାରୁ ଜୀବ ‘ନିର୍ଗୁଣ’ ଓ ଇଚ୍ଛାଦି ସ୍ୱ ଗୁଣ ସହ ସଂଯୁକ୍ତ ଥିବାରୁ ‘ସଗୁଣ’ । ପରମେଶ୍ୱରଙ୍କ କ୍ଷେତ୍ରରେ ମଧ୍ୟ ଏପରି ହିଁ ବୁଝିବା ଉଚିତ ।
‘ଅନ୍ତର‌୍ୟନ୍ତୁଂ  ନିୟନ୍ତୁଂ  ଶୀଲଂ  ୟସ୍ୟ  ସୋଽୟମନ୍ତର‌୍ୟାମୀ’ — ଯିଏ ପ୍ରାଣୀ-ଅପ୍ରାଣୀ ସମସ୍ତ ଜଗତରେ ବ୍ୟାପକ ହୋଇ ସମସ୍ତଙ୍କୁ ନିୟମନ କରନ୍ତି, ସେ ପରମେଶ୍ୱରଙ୍କ ନାମ ‘ଅନ୍ତର୍ଯ୍ୟାମୀ’ ।
‘ୟୋ  ଧର୍ମେ  ରାଜତେ  ସ  ଧର୍ମରାଜଃ’ — ଯିଏ ଅଧର୍ମରୁ ରହିତ ଓ ଧର୍ମରେ ହିଁ ପ୍ରକାଶମାନ, ଧର୍ମର ହିଁ ପ୍ରକାଶ କରନ୍ତି, ସେହି ଈଶ୍ୱରଙ୍କ ନାମ ‘ଧର୍ମରାଜ’ ।
‘ୟମୁ ଉପରମେ’ ଧାତୁରୁ ‘ୟମ’ ଶବ୍ଦର ଉତ୍ପତ୍ତି । ‘ୟଃ  ସର୍ବାନ୍  ପ୍ରାଣୀନୋ  ନିୟଚ୍ଛତି  ସ  ୟମଃ’ — ଯିଏ ସମସ୍ତ ପ୍ରାଣୀଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି, କୌଣସି ଅନ୍ୟାୟ କରନ୍ତି ନାହିଁ, ସଦା ନ୍ୟାୟ ଅନୁସାରେ କର୍ମ କରନ୍ତି, ସେହି ଈଶ୍ୱରଙ୍କ ନାମ ‘ଯମ’ ।
‘ଭଜ ସେବାୟାମ୍’ ଧାତୁରୁ ‘ଭଗ’ ଶବ୍ଦ ଉତ୍ପନ୍ନ ହୁଏ । ଏଥିରେ ‘ମତୁପ୍’ ପ୍ରତ୍ୟୟ ଯୋଗ ହେଲେ ‘ଭଗବାନ୍’ ଶବ୍ଦ ସିଦ୍ଧ ହୁଏ । ‘ଭଗଃ  ସକଲୈଶ୍ୱର‌୍ୟଂ  ସେବନଂ  ବା  ବିଦ୍ୟତେ  ୟସ୍ୟ  ସ  ଭଗବାନ୍’ — ଯିଏ ସକଳ ଐଶ୍ୱର୍ଯ୍ୟ ସଂପନ୍ନ, ଯିଏ ଭଜନ ଯୋଗ୍ୟ, ସେ ଈଶ୍ୱରଙ୍କ ନାମ ‘ଭଗବାନ’ ।
‘ମନ ଜ୍ଞାନେ’ ଧାତୁରୁ ‘ମନୁ’ ଶବ୍ଦ ତିଆରି ହୁଏ । ‘ୟୋ  ମନ୍ୟତେ  ସ  ମନୁଃ’ — ଯିଏ ଜ୍ଞାନସ୍ୱରୂପ ଓ ମାନନୀୟ, ସେହି ଈଶ୍ୱରଙ୍କ ନାମ ‘ମନୁ’ ।
‘ପୃ ପାଲନପୂରଣୟୋଃ’ ଧାତୁରୁ ‘ପୁରୁଷ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ସ୍ୱବ୍ୟାପ୍ତ୍ୟା  ଚରାଽଚରଂ  ଜଗତ୍  ପୃଣାତି ପୂରୟତି  ବା  ସଃ  ପୁରୁଷଃ’ — ଯିଏ ସ୍ୱ ବ୍ୟାପ୍ତିରେ ସକଳ ଚରାଚର ଜଗତରେ ପୂରି ରହିଛନ୍ତି, ସେହି ଈଶ୍ୱରଙ୍କ ନାମ ‘ପୁରୁଷ’ । 
‘ବିଶ୍ୱ’ ପୂର୍ବକ ‘ଡୁଭୃଞ୍  ଧାରଣପୋଷଣୟୋଃ’ ଧାତୁରୁ ‘ବିଶ୍ୱମ୍ଭର’ ଶବ୍ଦ ଉତ୍ପନ୍ନ ହୁଏ । ‘ୟୋ  ବିଶ୍ୱଂ  ବିଭର୍ତ୍ତି ଧରତି  ପୁଷ୍ଣାତି  ବା  ସ  ବିଶ୍ୱମ୍ଭରୋ  ଜଗଦୀଶ୍ୱରଃ’ — ଜଗତର ଧାରଣ ଓ ପୋଷଣ କରୁଥିବାରୁ ସେହି ଈଶ୍ୱରଙ୍କ ନାମ ‘ବିଶ୍ୱମ୍ଭର’ ।
‘କଲ ସଂଖ୍ୟାନେ’ ଧାତୁରୁ ‘କାଳ’ ଶବ୍ଦ ନିଷ୍ପନ୍ନ । ‘କଲୟତି  ସଂଖ୍ୟାତି  ସର୍ବାନ୍  ପଦାର୍ଥାନ୍  ସ  କାଲଃ’ — ଜଗତର ସମସ୍ତ ପଦାର୍ଥ ଓ ଜୀବାତ୍ମାଙ୍କ ସଂଖ୍ୟା ବା କଳନା କରିପରୁଥିବାରୁ ସେହି ଈଶ୍ୱରଙ୍କ ନାମ ‘କାଳ’ ।
‘ଶିଷ୍ଲୃ ବିଶେଷଣେ’ ଧାତୁରୁ ‘ଶେଷ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ଶିଷ୍ୟତେ  ସ  ଶେଷଃ’ — ଉତ୍ପତ୍ତି ଓ ପ୍ରଳୟରେ ଯିଏ ଶେଷ, ଅବଶିଷ୍ଟ ବା ବଳକା ରହିଯାନ୍ତି ଅର୍ଥାତ୍ ଯିଏ ଉତ୍ପତ୍ତି-ପ୍ରଳୟ ପ୍ରକ୍ରିୟାର ଅନ୍ତର୍ଗତ ନୁହନ୍ତି, ଯାହା ଉପରେ ଉତ୍ପତ୍ତି-ପ୍ରଳୟର କୌଣସି ପ୍ରଭାବ, ବିକାର ପଡ଼େ ନାହିଁ, ସେହି ନିର୍ବିକାର ପରମାତ୍ମାଙ୍କ ନାମ ‘ଶେଷ’ ।
‘ଆପ୍ଲୃ ବ୍ୟାପ୍ତୌ’ ଧାତୁରୁ ‘ଆପ୍ତ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ସର୍ବାନ୍  ଧର୍ମାତ୍ମନ  ଆପ୍ନୋତି  ବା  ସର୍ବେ÷-ର୍ଧର୍ମାତ୍ମଭିରାପ୍ୟତେ  ଛଲାଦିରହିତଃ  ସ  ଆପ୍ତଃ’ — ଯିଏ ସତ୍ୟୋପଦେଶକ, ସକଳ ବିଦ୍ୟାଯୁକ୍ତ, ସର୍ବ ଧର୍ମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି ଏବଂ ସମସ୍ତ ଧର୍ମାତ୍ମାଙ୍କ ଦ୍ୱାରା ପ୍ରାପ୍ତଯୋଗ୍ୟ ତଥା ଛଳ-କପଟ ଆଦି ବ୍ୟବହାରରୁ ରହିତ, ତେଣୁ ସେହି ପରମାତ୍ମାଙ୍କ ନାମ ‘ଆପ୍ତ’ ।
‘ଶମ୍’ ପୂର୍ବକ ‘ଡୁକୃଞ୍ କରଣେ’ ଧାତୁରୁ ‘ଶଙ୍କର’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ଶଂ  କଲ୍ୟାଣଂ  ସୁଖଂ କରୋତି ସ  ଶଙ୍କରଃ’— କଲ୍ୟାଣକାରୀ ବା ସୁଖଦାତା ହୋଇଥିବାରୁ ସେହି ଈଶ୍ୱରଙ୍କ ନାମ ‘ଶଙ୍କର’ ।
‘ମହତ୍’ ଶବ୍ଦ ପୂର୍ବକ ‘ଦେବ’ ଶବ୍ଦରୁ ‘ମହାଦେବ’ ଶବ୍ଦ ଉତ୍ପନ୍ନ ହୁଏ । ‘ୟୋ  ମହତାଂ  ଦେବଃ  ସ ମହାଦେବଃ’ — ଯିଏ ମହାନ୍ ଦେବଙ୍କର ବି ଦେବ ଅର୍ଥାତ୍ ବିଦ୍ୱାନ୍ଙ୍କର ବି ବିଦ୍ୱାନ୍, ସୂର୍ଯ୍ୟାଦି ପଦାର୍ଥଗୁଡ଼ିକର ପ୍ରକାଶକ, ସେହି ପରମାତ୍ମାଙ୍କ ନାମ ‘ମହାଦେବ’ ।
‘ପ୍ରୀଞ୍  ତର୍ପଣେ  କାନ୍ତୌ  ଚ’ ଧାତୁରୁ ‘ପ୍ରିୟ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ପ୍ରୀଣାତି  ପ୍ରୀୟତେ  ବା  ସ  ପ୍ରିୟଃ’ — ଯିଏ ସମସ୍ତ ଧର୍ମାତ୍ମା, ମୁମୁକ୍ଷୁ ଓ ସଜ୍ଜନଙ୍କୁ ପ୍ରସନ୍ନ କରନ୍ତି ଏବଂ ସମସ୍ତଙ୍କର କାମ୍ୟ, ସେହି ଈଶ୍ୱରଙ୍କ ନାମ ‘ପ୍ରିୟ’ ।
‘ସ୍ୱୟଂ’ ପୂର୍ବକ ‘ଭୂ ସତ୍ତାୟାମ୍’ ଧାତୁରୁ ‘ସ୍ୱୟମ୍ଭୂ’ ଶବ୍ଦ ସିଦ୍ଧ ହୁଏ । ‘ୟଃ  ସ୍ୱୟଂ  ଭବତି  ସ  ସ୍ୱୟମ୍ଭୂରୀଶ୍ୱରଃ’ — ଯିଏ ସ୍ୱ ସତ୍ତାରେ ସ୍ୱୟଂ ସଦା ବିଦ୍ୟମାନ ଅଛନ୍ତି, କାହାଠାରୁ କେବେ ଉତ୍ପନ୍ନ ହୋଇନାହାନ୍ତି, ସେହି ପରମାତ୍ମାଙ୍କ ନାମ ‘ସ୍ୱୟମ୍ଭୂ’ ।
‘କୁ ଶବ୍ଦେ’ ଧାତୁରୁ ‘କବି’ ଶବ୍ଦ ଉତ୍ପନ୍ନ ହୁଏ । ‘ୟଃ  କୌତି  ଶବ୍ଦୟତି  ସର୍ବା  ବିଦ୍ୟାଃ  ସ  କବିରୀଶ୍ୱରଃ’ — ଯିଏ ସର୍ବ ବିଦ୍ୟାର ବେତ୍ତା ଓ ବେଦ ଦ୍ୱାରା ସକଳ ବିଦ୍ୟାର ଉପଦେଶ ଦିଅନ୍ତି, ସେହି ପରମେଶ୍ୱରଙ୍କ ନାମ ‘କବି’ ।
‘ଶିବୁ କଲ୍ୟାଣେ’ ଧାତୁରୁ ‘ଶିବ’ ଶବ୍ଦ ନିଷ୍ପନ୍ନ । ‘ବହୁଲମେତନ୍ନିଦର୍ଶନମ୍’ ଅନୁସାରେ ‘ଶିବୁ’ ଧାତୁ ସ୍ୱୀକାର କରାଯାଏ । ‘ୟଃ ମଙ୍ଗଲମୟୋ ଜୀବାନାଂ ମଙ୍ଗଲକାରୀ ଚ ସଃ ଶିବଃ’—  ସ୍ୱୟଂ କଲ୍ୟାଣସ୍ୱରୂପ ଓ ସମସ୍ତଙ୍କ କଲ୍ୟାଣକାରୀ ହୋଇଥିବାରୁ ଈଶ୍ୱରଙ୍କ ନାମ ‘ଶିବ’ ।
ଏଠାରେ ପରମେଶ୍ୱରଙ୍କ ଏ ଶହେଟି ନାମ ଲେଖାଗଲା । କିନ୍ତୁ ପରମେଶ୍ୱରଙ୍କ ଏତିକି ମାତ୍ର ନାମ ନାହିଁ । ଏତଦ୍ ବ୍ୟତୀତ ତାଙ୍କର ଆହୁରି ଅସଂଖ୍ୟ ନାମ ଅଛି । କାରଣ ପରମେଶ୍ୱରଙ୍କ ଗୁଣ, କର୍ମ, ସ୍ୱଭାବ ଅନନ୍ତ । ପ୍ରତ୍ୟେକ ଗୁଣ, କର୍ମ ଓ ସ୍ୱଭାବ ଆଧାରରେ ତାଙ୍କର ଗୋଟିଏ-ଗୋଟିଏ ନାମ ଥିବାରୁ ତାଙ୍କର ନାମ ଅସଂଖ୍ୟ । ଏଠାରେ ଲେଖାଯାଇଥିବା ନାମଗୁଡ଼ିକ ସିନ୍ଧୁ ସମ୍ମୁଖରେ ଏକ ବିନ୍ଦୁ ମାତ୍ର । ବେଦାଦି ଶାସ୍ତ୍ରରେ ପରମାତ୍ମାଙ୍କର ଅସଂଖ୍ୟ ଗୁଣ-କର୍ମ-ସ୍ୱଭାବ ବର୍ଣ୍ଣିତ ହୋଇଛି । ସେସବୁ ଗ୍ରନ୍ଥର ଅଧ୍ୟୟନ-ଅଧ୍ୟାପନା ଦ୍ୱାରା ଏସବୁର ଜ୍ଞାନ ହୋଇଥାଏ । ତା’ ସହ ଅନ୍ୟାନ୍ୟ ପଦାର୍ଥର ଜ୍ଞାନ ବି ସେମାନଙ୍କୁ ଉତ୍ତମ ରୂପେ ହୋଇଥାଏ, ଯେଉଁମାନେ ବେଦାଦି ଶାସ୍ତ୍ର ପଢ଼ନ୍ତି । 
ମଙ୍ଗଳାଚରଣ ସମୀକ୍ଷା
ପ୍ରଶ୍ନ — ଅନ୍ୟ ଗ୍ରନ୍ଥକାରମାନେ ପୁସ୍ତକ ରଚନା କରିବା ସମୟରେ ଗ୍ରନ୍ଥର ଆରମ୍ଭରେ, ମଝିରେ ଓ ଶେଷରେ ମଙ୍ଗଳାଚରଣ କରିଥାନ୍ତି; କିନ୍ତୁ ଆପଣ କାହିଁକି ସେପରି କିଛି ବି କରିନାହାନ୍ତି, ଲେଖିନାହାନ୍ତି?
ଉତ୍ତର — ଏପରି କରିବା ଉଚିତ ନୁହେଁ । କାରଣ ଯିଏ ପୁସ୍ତକର ଆରମ୍ଭରେ, ମଝିରେ ଓ ଶେଷରେ ମଙ୍ଗଳ କରିବେ, ତାଙ୍କ ଗ୍ରନ୍ଥର ଆରମ୍ଭ ଓ ମଝି ଭିତରେ ଏବଂ ମଝି ଓ ଶେଷ ଭିତରେ ଯାହା କିଛି ଲେଖା ହୋଇଥିବ, ସେ ସବୁ ଅମଙ୍ଗଳ ହିଁ ରହିବ । ଏଣୁ ‘ମଙ୍ଗଲାଚରଣଂ  ଶିଷ୍ଟାଚାରତ୍  ଫଲଦର୍ଶନାଚ୍ଛ୍ରୁତିତଶ୍ଚେତି’  (ସାଂଖ୍ୟ. ୫:୧) — ଅର୍ଥାତ୍ ଯାହା ନ୍ୟାୟ, ପକ୍ଷପାତରହିତ, ସତ୍ୟ, ବେଦୋକ୍ତ ଈଶ୍ୱରଙ୍କ ଆଦେଶ, ତାହାକୁ ଯଥାଯଥ ଭାବେ ସର୍ବତ୍ର ଓ ସର୍ବଦା ଆଚରଣ କରିବାକୁ ମଙ୍ଗଳାଚରଣ କୁହାଯାଏ । ଗ୍ରନ୍ଥର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସତ୍ୟାଚାର କରିବା ହିଁ ମଙ୍ଗଳାଚରଣ, କେଉଁ ସ୍ଥାନରେ ମଙ୍ଗଳ ତ ଆଉ କେଉଁ ସ୍ଥାନରେ ଅମଙ୍ଗଳ ଲେଖିବା ମଙ୍ଗଳାଚରଣ ନୁହେଁ । ଦେଖନ୍ତୁ ମହଦାଶୟସମ୍ପନ୍ନ ମହର୍ଷିଗଣ ଲେଖିଛନ୍ତି—
ୟାନ୍ୟନବଦ୍ୟାନି  କର୍ମାଣି  ତାନି  ସେବିତବ୍ୟାନି,  ନୋ  ଇତରାଣି ।    (ତୈତ୍ତି. ୧:୧୧)
ହେ ସନ୍ତାନଗଣ! ଯାହାସବୁ ‘ଅନବଦ୍ୟ’ ଅନିନ୍ଦନୀୟ ଅର୍ଥାତ୍ ଧର୍ମଯୁକ୍ତ କର୍ମ, ସେସବୁ ହିଁ ତୁମ ପକ୍ଷେ କରଣୀୟ, ଅଧର୍ମଯୁକ୍ତ କର୍ମ କରଣୀୟ ନୁହେଁ ।
ଏଣୁ ଆଧୁନିକ ଗ୍ରନ୍ଥମାନଙ୍କରେ ଯେଉଁ ‘ଶ୍ରୀଗଣେଶାୟ ନମଃ’, ‘ସୀତାରାମାଭ୍ୟାଂ ନମଃ’, ‘ରାଧାକୃଷ୍ଣାଭ୍ୟାଂ ନମଃ’, ‘ଶ୍ରୀଗୁରୁଚରଣାରବିନ୍ଦାଭ୍ୟାଂ ନମଃ’, ‘ହନୁମତେ ନମଃ’, ‘ଦୁର୍ଗାୟୈ ନମଃ’, ‘ବଟୁକାୟ ନମଃ’, ‘ଭୈରବାୟ ନମଃ’, ‘ଶିବାୟ ନମଃ’, ‘ସରସ୍ୱତୈ ନମଃ’, ‘ନାରାୟଣାୟ ନମଃ’ ଇତ୍ୟାଦି ଲେଖା ଦେଖିବାକୁ ମିଳେ, ସେସବୁ ବେଦ ଓ ଶାସ୍ତ୍ରର ବିରୁଦ୍ଧ ହୋଇଥିବାରୁ ବୁଦ୍ଧିମାନ୍ ବ୍ୟକ୍ତିମାନେ ଏସବୁକୁ ମିଥ୍ୟା ବିବେଚନା କରିଥାନ୍ତି । କାରଣ ବେଦ ଓ ଋଷି-ମୁନିକୃତ ଗ୍ରନ୍ଥମାନଙ୍କରେ କୁତ୍ରାପି ଏପରି ମଙ୍ଗଳାଚରଣ ଦେଖାଯାଇନଥାଏ । ଆର୍ଷ ଗ୍ରନ୍ଥରେ ‘ଓ୩ମ୍’ ତଥା ‘ଅଥ’ ଶବ୍ଦ ତ ଦେଖିବାକୁ ମିଳେ । ଯଥା —
‘ଅଥ  ଶବ୍ଦାନୁଶାସନମ୍’ । ଅଥେତ୍ୟୟଂ ଶବ୍ଦୋଽଧିକାରାର୍ଥଃ ପ୍ରୟୁଜ୍ୟତେ । 
(ବ୍ୟାକରଣ ମହାଭାଷ୍ୟ. ପସ୍ପଶାହ୍ନିକ)
‘ଅଥାତୋ  ଧର୍ମଜିଜ୍ଞାସା’ । ଅଥେତ୍ୟାନନ୍ତର‌୍ୟେ ବେଦାଧ୍ୟୟନାନନ୍ତରମ୍ । (ପୂର୍ବ ମୀମାଂସା. ୧:୧:୧)
‘ଅଥାତୋ  ଧର୍ମଂ  ବ୍ୟାଖ୍ୟାସ୍ୟାମଃ’ । 
ଅଥେତି ଧର୍ମକଥନାନନ୍ତରଂ ଧର୍ମଲକ୍ଷଣଂ ବିଶେଷେଣ ବ୍ୟାଖ୍ୟାସ୍ୟାମଃ ।    (ବୈଶେଷିକ. ୧:୧:୧)
‘ଅଥ  ୟୋଗାନୁଶାସନମ୍’ । ଅଥେତ୍ୟୟମଧିକାରାର୍ଥଃ ।       (ୟୋଗ. ୧:୧)
‘ଅଥ  ତ୍ରିବିଧଦୁଃଖାତ୍ୟନ୍ତନିବୃତ୍ତିରତ୍ୟନ୍ତପୁରୁଷାର୍ଥଃ’ । ସାଂସାରିକବିଷୟଭୋଗାନନ୍ତରଂ ତ୍ରିବିଧଦୁଃଖାତ୍ୟନ୍ତନିବୃତ୍ତ୍ୟର୍ଥଃ ପ୍ରୟତ୍ନଃ କର୍ତ୍ତବ୍ୟଃ ।     (ସାଂଖ୍ୟ. ୧:୧)
‘ଅଥାତୋ  ବ୍ରହ୍ମଜିଜ୍ଞାସା’ । ଚତୁଷ୍ଟୟସାଧନସମ୍ପତ୍ତ୍ୟନନ୍ତରଂ ବ୍ରହ୍ମ ଜିଜ୍ଞାସ୍ୟମ୍ । (ବେଦାନ୍ତ. ୧:୧:୧)
‘ଓମିତ୍ୟେତଦକ୍ଷରମୁଦ୍ଗୀଥମୁପାସୀତ’ ।        (ଛାନ୍ଦୋଗ୍ୟ. ୧:୧:୧)
‘ଓମିତ୍ୟେତଦକ୍ଷରମିଦଂ  ସର୍ବଂ  ତସ୍ୟୋପବ୍ୟାଖ୍ୟାନମ୍’ ।       (ମାଣ୍ଡୂକ୍ୟ. ୧)
 ଏପରି ହିଁ ଅନ୍ୟ ଋଷି-ମୁନିକୃତ ଗ୍ରନ୍ଥମାନଙ୍କରେ ‘ଓମ୍’ ଓ ‘ଅଥ’ ଶବ୍ଦ ଲେଖାଯାଇଛି । ସେହିପରି ହିଁ ଏ ଶବ୍ଦଗୁଡ଼ିକ (ଅଗ୍ନି, ଇଟ୍, ଅଗ୍ନି, ୟେ ତ୍ରିଷପ୍ତାଃ ପରିୟନ୍ତି) ଚାରି ବେଦର ଆରମ୍ଭରେ ଲେଖାଯାଇଛି । ‘ଶ୍ରୀଗଣେଶାୟ ନମଃ’ ଇତ୍ୟାଦି ଲେଖା ଆର୍ଷ ଗ୍ରନ୍ଥରେ ଆରମ୍ଭରେ କେଉଁଠି ବି ନାହିଁ । ଆଉ ଗୋଟିଏ କଥା ଯେ ଯେଉଁମାନେ ବେଦର ଆରମ୍ଭରେ ‘ହରିଃ ଓମ୍’ ଲେଖନ୍ତି ବା ପଢ଼ନ୍ତି, ସେମାନେ ତାହା ପୌରାଣିକ ଓ ତାନ୍ତ୍ରିକ ମାନଙ୍କ ମିଥ୍ୟା କଳ୍ପନାରୁ ଶିଖିଛନ୍ତି । ବେଦାଦି ଶାସ୍ତ୍ରରେ ‘ହରି’ ଶବ୍ଦ ଆରମ୍ଭରେ କେଉଁଠି ବି ନାହିଁ । ଏଣୁ କେବଳ ‘ଓ୩ମ୍’ ବା ‘ଅଥ’ ଶବ୍ଦ ହିଁ ଗ୍ରନ୍ଥର ଆରମ୍ଭରେ ଲେଖିବା ଉଚିତ ।
ଏଠାରେ ଈଶ୍ୱରଙ୍କ ନାମ ବିଷୟରେ ଅଳ୍ପକିଛି ଲେଖାଗଲା । ଏହାପରେ ଆଗକୁ ଶିକ୍ଷା ବିଷୟରେ ଲେଖାଯିବ ।
 
ଇତି ଶ୍ରୀମଦ୍ଦୟାନନ୍ଦ ସରସ୍ୱତୀସ୍ୱାମିକୃତେ ସତ୍ୟାର୍ଥପ୍ରକାଶେ 
ସୁଭାଷାବିଭୂଷିତ ଈଶ୍ୱରନାମବିଷୟେ 
ପ୍ରଥମଃ ସମୁଲ୍ଲାସଃ ସମ୍ପୂର୍ଣ୍ଣଃ ।ା ୧ ।ା